ବେଙ୍ଗାଲୁରୁ,୧୬/୧: ଗୋଟିଏ ପରେ ଗୋଟିଏ ମାଗଣା ଘୋଷଣା କରି ଚାଲିଛି କର୍ଣ୍ଣାଟକ କଂଗ୍ରେସ। ପ୍ରଥମେ ମାଗଣା ବିଦ୍ୟୁତ୍ ପରେ ଏବେ ଗୃହିଣୀଙ୍କୁ ମାସକୁ ୨ ହଜାର ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛି ଦଳ। କର୍ଣ୍ଣାଟକରେ ସରକାର ଗଠନ କରିବାକୁ ଶିବରାଜଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଏଥିପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା ଘୋଷଣା କରୁଛି ଦଳ।
ଆଜି ବେଙ୍ଗାଲୁରୁର ପେଲେସ ଗ୍ରାଉଣ୍ଡରେ କଂଗ୍ରେସ ଦ୍ୱାରା ଆୟୋଜିତ ‘ନା ନାୟକୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଦଳ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତ୍ୟେକ ଗୃହିଣୀଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା ଦେବ ବୋଲି ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି। ଗୃହ ଲକ୍ଷ୍ମୀ ଯୋଜନାରେ ଏହି ଟଙ୍କା ମିଳିବ। ଏହି ଯୋଜନାରେ ୧.୫ କୋଟି ଗୃହିଣୀ ଲାଭବାନ ହେବେ ବୋଲି ଦଳ ଦାବି କରିଛି। ଏହି ଟଙ୍କା ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ଯିବ ବୋଲି ପ୍ରିୟଙ୍କା କହିଛନ୍ତି।
ପ୍ରିୟଙ୍କା ଆହୁରି କହିଛନ୍ତି,ଏଲ୍ପିଜି ଗ୍ୟାସ୍ ଦର ଅହେତୁକ ବୃଦ୍ଧି ଯୋଗୁ ଚାପରେ ରହୁଛି ପରିବାର। ଏଥିରୁ ଆସ୍ୱସ୍ତି ଦେବା ପାଇଁ କଂଗ୍ରେସ ମହିଳାଙ୍କୁ ଏହି ସୁବିଧା ଦେବ ବୋଲି କହିଛି। ଯଦି ମହିଳା ସଶକ୍ତ ହେବେ ତେବେ ପରିବାର ଓ ଦେଶ ବି ସଶକ୍ତ ହେବ ବୋଲି କଂଗ୍ରେସ କହିଛି। ଚଳିତ ବର୍ଷ ମେ ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜ୍ୟ ଦଖଲ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଲାଗି ପଡ଼ିଛନ୍ତି।
