ଭୁବନେଶ୍ୱର, ୦୯/୦୫ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଗାମୀ ରଥଯାତ୍ରାରେ ୨୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ତିନିରଥର କର୍ଡନ ଦାୟିତ୍ବରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ରହିବେ। ଉତ୍ତରା ଛକରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରାୟ ୨୭୬ ସିସି କ୍ୟାମେରା ଲଗାଯିବ। ରଥଯାତ୍ରା ସମୟରେ ପୁରୀ ମହାନଗର ନିଗମ ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କ ଅସ୍ବାଭାବିକ ତଥା ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପୁରୀ ପୌର ସଦନରେ ପ୍ରଥମ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ ୧୬ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ୮୬୫ ଅସନ, ଧଉରା ଓ ଫାସି କାଠ ମଧ୍ୟରୁ ବନ ବିଭାଗ ଏପର୍ଯ୍ୟନ୍ତ ୭୧୦ ଖଣ୍ଡ କାଠ ଯୋଗାଇ ଦେଇଛି। ଅହମଦାବାଦରୁ ରଥକନା, ଓଡ଼ିଶା ସମବାୟ କତା ନିଗମ ଠାରୁ ରଥ ଦଉଡ଼ି ଓ ତାମିଲନାଡ଼ୁରୁ ଚନ୍ଦନ କାଠ କିଣାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୱାର୍ଡ ଓ ଆଇସିୟୁ ସମେତ ୨୮୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡରେ ଆଠଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ୪୬ ସରକାରୀ ଆମ୍ବୁଲାନ୍ସ ନିୟୋଜିତ କରାଯିବ। ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ବଡ଼ଦାଣ୍ଡରେ ସ୍ବତନ୍ତ୍ର କରିଡର କରାଯିବ। ୬୫୦ ଶଯ୍ୟା ବିଶିଷ୍ଟ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି। ରଥଯାତ୍ରା ପୂର୍ବରୁ ପୁରୀ ସହରର ସବୁ ରାସ୍ତା ମରାମତି, ଜବରଦଖଲ ଉଚ୍ଛେଦ ଓ ନଳାଗୁଡ଼ିକର ସଫେଇ କରାଯିବ। ବଡ଼ଦାଣ୍ଡ ଦୁଇପାର୍ଶ୍ବ ନଳା ସଫେଇ ଉପରେ ଗୁରୁତ୍ବ ଦିଆଯାଇଛି। ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦେଶ ଦିଆଯାଇଛି। ୱାଟକୋ ପକ୍ଷରୁ ବଡ଼ଦାଣ୍ଡ ସମେତ ସହରର ସବୁ ଅଞ୍ଚଳରେ ୨୪ ଘଣ୍ଟିଆ ବିଶୋଧିତ ପାନୀୟ ଜଳ ଯୋଗାଣ କରାଯିବ।
ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ସମୟରେ ୪୦୦ ସ୍ବତନ୍ତ୍ର ରେଳଗାଡ଼ି ଚଳାଚଳ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଜୁଲାଇ ୧୪ ରୁ ୨୫ ତାରିଖ ପର୍ଯ୍ୟନ୍ତ ପୁରୀ ପୌର ବସଷ୍ଟାଣ୍ଡ ତାଳବଣିଆକୁ ସ୍ଥାନାନ୍ତର କରାଯିବ। ରାଜ୍ୟ ବାହାର ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲରେ ପାର୍କିଂ କରିବେ। ଏହାଛଡ଼ା ୩୦ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ।
Next Post