ଉଚ୍ଚତା ମାତ୍ର ୩ ଫୁଟ୍‌, ସ୍ୱପ୍ନ ଆକାଶ ଛୁଇଁଲା; ଜାଣନ୍ତୁ ଛୋଟ ଡାକ୍ତରଙ୍କ ବଡ଼ କାହାଣୀ

ନୂଆଦିଲ୍ଲୀ, ୧୪/୦୮ : ଗୁଜରାଟର ଭାବନଗର ଜିଲ୍ଲାର ଗୋରଖି ଗାଁର ଗଣେଶ ବରୈୟା । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍‌ । ଛୋଟ କଦ ତାଙ୍କ ଜୀବନରେ ଅନେକ ପ୍ରତିବନ୍ଧକ ଆଣିଥିଲା । କିନ୍ତୁ ଗଣେଶଙ୍କ ଆତ୍ମବିଶ୍ୱାସ କେବେ ବି ଭାଙ୍ଗିନଥିଲା । ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା ପାସ୍ କରିବା ପରେ ୨୦୧୮ରେ ଯେତେବେଳେ ସେ ମେଡିକାଲ କଲେଜରେ ଆଡମିଶନ ନେବାକୁ ଯାଇଥିଲେ, ତାଙ୍କ ଶାରୀରିକ ସ୍ଥିତି ଓ ଉଚ୍ଚତାକୁ ନେଇ ଆଡମିଶନରେ ଆପତ୍ତି ଉଠିଥିଲା । ପରେ ଦୀର୍ଘ ଆଇନଗତ ଲଢ଼େଇ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସେ ମେଡିକାଲ ପଢ଼ିବାର ସୁଯୋଗ ପାଇଥିଲେ । ଗଣେଶଙ୍କ ପିଲାଦିନ ମଧ୍ୟ ଖୁବ୍‌ ସଂଘର୍ଷପୂର୍ଣ୍ଣ ଥିଲା । ସ୍କୁଲ ଯିବା ସମୟରେ ସେ ଅନେକଥର ବାପାଙ୍କ କାନ୍ଧର ସାହାରା ନେଉଥିଲେ । ତାଙ୍କ ଶାରୀରିକ ଗଠନକୁ ନେଇ ଲୋକଙ୍କ କଥା ମଧ୍ୟ ଶୁଣିବାକୁ ପଡ଼ିଥିଲା । ଏହି ସମୟରେ ଏକ ସର୍କସ୍‌ ଦଳ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଥିଲା । ଉଦ୍ଦେଶ୍ୟ ଥିଲା ଗଣେଶଙ୍କୁ ସର୍କସ୍‌ରେ ସାମିଲ କରିବା। କିନ୍ତୁ ଗଣେଶଙ୍କ ବାପା ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ।

ସେ ଚାହୁଁଥିଲେ ପୁଅ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେଉ । ବାପାଙ୍କ ସେହି ନିଷ୍ପତ୍ତି ଆଜି ଗଣେଶଙ୍କ ସଫଳତାର ସବୁଠାରୁ ବଡ଼ ଅଧ୍ୟାୟ । ମେଡିକାଲ ପଢ଼ା ଶେଷ କରି ଗଣେଶ ଡାକ୍ତର ହେଲେ। ପରବର୍ତ୍ତୀ ସମୟରେ ସେ ସରକାରୀ ହସ୍ପିଟାଲରେ ମେଡିକାଲ ଅଫିସର ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଗଣେଶ କହିଛନ୍ତି ଯେ ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଚିକିତ୍ସା କରିବା ତାଙ୍କର ବଡ଼ ଲକ୍ଷ୍ୟ । ଏବେ ଗଣେଶଙ୍କ ଏହି ପ୍ରେରଣାଦାୟୀ ଯାତ୍ରା ‘କୌନ ବନେଗା କରୋଡପତି-୧୮’ର ମଞ୍ଚରେ ମଧ୍ୟ ଦେଖିବାକୁ ମିଳିଛି। ହଟ୍‌ ସିଟ୍‌ରେ ବସି ଗଣେଶ ନିଜ ଜୀବନର ସଂଘର୍ଷର କାହାଣୀ କହିଥିଲେ। ତାଙ୍କ କଥା ଶୁଣି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ମଧ୍ୟ ପ୍ରଭାବିତ ହୋଇଥିଲେ । କେବଳ ଜ୍ଞାନର ପରୀକ୍ଷା ନୁହେଁ, ଗଣେଶଙ୍କ କାହାଣୀ ହେଉଛି ହାର ନମାନିବାର କାହାଣୀ । ଯେଉଁଠି ଶାରୀରିକ ସୀମାବଦ୍ଧତା ତାଙ୍କ ସାମ୍ନାରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲା, ସେଠାରେ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ସେହି ପ୍ରତିବନ୍ଧକକୁ ପଛରେ ପକାଇ ଦେଇଛି । ଗଣେଶ ବରୈୟାଙ୍କ ଜୀବନ କେବଳ ଜଣେ ଡାକ୍ତରଙ୍କ ସଫଳତାର କାହାଣୀ ନୁହେଁ, ଏହା ଲଢ଼େଇ, ପରିଶ୍ରମ ଓ ପରିବାରର ବିଶ୍ୱାସର କାହାଣୀ । ତାଙ୍କ ଯାତ୍ରା ଅନେକଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ହୋଇଛି ।