ବିମାନ ବାତିଲକୁ ନେଇ ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର, ୧୪/୦୮ : ବିମାନ ବାତିଲକୁ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳୁ ଦେଖିବାକୁ ମିଳିଛି ହାଇଡ୍ରାମା। କଲିକତା ଯିବାକୁ ଥିବା ଇଣ୍ଡିଗୋ ବିମାନ ବିଳମ୍ବ ପରେ ହଠାତ୍ ବାତିଲ ହେବାରୁ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରୟାଗରାଜରୁ ଆସି ଭୁବନେଶ୍ୱରରୁ କଲିକତା ଉଡ଼ାଣ ଭରିବାକୁ ଥିଲା ଇଣ୍ଡିଗୋ ବିମାନ। ଯାତ୍ରୀମାନେ ପ୍ରାୟ ୩ ଘଣ୍ଟା ଧରି ଅପେକ୍ଷା କରିବା ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଥିବା ଦର୍ଶାଇ ଶେଷ ମୁହୂର୍ତ୍ତରେ ଉଡ଼ାଣ ବାତିଲ କରାଯାଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ଯାତ୍ରୀ ବିମାନବନ୍ଦରରେ ହୋହଲ୍ଲା କରିବା ସହ ଅଧିକାରୀ ଓ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଛି। ଏପରିକି ଚେକ୍‌-ଇନ୍‌ କାଉଣ୍ଟରରେ ଥିବା କମ୍ପ୍ୟୁଟର ଓ ସ୍କାନର ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ CISF ଯବାନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବିମାନବନ୍ଦର ସମ୍ପତ୍ତି ନଷ୍ଟ କରିଥିବା ଯାତ୍ରୀଙ୍କ ଉପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ୬୫ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି। ବିମାନ ବିଳମ୍ବ ଓ ଶେଷ ମୁହୂର୍ତ୍ତରେ ବାତିଲକୁ ନେଇ ଯାତ୍ରୀଙ୍କ ଅସନ୍ତୋଷ ଏବେ ଭୁବନେଶ୍ୱର ଏୟାରପୋର୍ଟରେ ଚର୍ଚ୍ଚାର ବିଷୟ ପାଲଟିଛି।