ଛାତ୍ରୀଙ୍କ ଗୁଳିରେ ୩ ଆହତ

ଲସ୍‌ ଏଞ୍ଜେଲେସ୍‌: ଗୁରୁବାର ଦିନ ଉତ୍ତରପଶ୍ଚିମ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଦେଶ ଆଇଦହୋରେ ଜଣେ ବାଳିକା ସ୍କୁଲ୍‌ରେ ଗୁଳି ଚଳାଇବାରୁ ତିନିଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସ୍କୁଲ୍‌ର ଜଣେ ଶିକ୍ଷକ ତୁରନ୍ତ ଷଷ୍ଠ ଶ୍ରେଣୀରେ ପଢୁଥିବା ଉକ୍ତ ବାଳିକା ହାତରୁ ପିସ୍ତଲ୍‌ଟି ଛଡ଼ାଇ ନେଇଥିଲେ। ଆଇଦହୋ ଜଳପ୍ରପାତ ନିକଟ ରିଗ୍‌ବାଇ ମିଡଲ୍‌ ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଏହି ୧୧/୧୨ ବର୍ଷୀୟ ଛାତ୍ରୀର ପରିଚୟ ପ୍ରକାଶ କରାଯାଇନାହିଁ। ଜେଫର୍ସନ୍‌ କାଉଣ୍ଟି ସେରିଫ୍‌ ଷ୍ଟିଭ୍‌ ଅଣ୍ଡର୍‌ସନ୍ କହିଛନ୍ତି, ପିଠିରେ ପଡ଼ିଥିବା ବ୍ୟାଗ୍‌ରୁ ସେ ପିସ୍ତଲ୍‌ଟାଏ କାଢ଼ି ସ୍କୁଲ୍‌ ଭିତର ଓ ବାହାରକୁ ଏକାଧିକ ରାଉଣ୍ଡ୍‌ ଗୁଳି ଚଳାଇଥିଲା।

ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ଦୁଇଜଣ ଶିକ୍ଷାର୍ଥୀ ଏବଂ ଜଣେ କର୍ମଚାରୀଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ନୁହେଁ। ଗୁଳି ଚଳାଉଥିବା ବେଳେ ଜଣେ ଶିକ୍ଷକ ଝିଅଟି ହାତରୁ ପିସ୍ତଲ୍‌ ଛଡ଼ାଇ ନେଇଥିଲେ ଏବଂ ଆଇନ୍‌ ପ୍ରଣୟନ ଅଧିକାରୀ ପହଞ୍ଚି ହାଜତକୁ ନ ନେବା ପର୍ଯ୍ୟନ୍ତ ତାଙ୍କୁ ଅଟକାଇ ରଖିଥିଲେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଗତ କେତେ ସପ୍ତାହ ହେବ ଯୁକ୍ତରାଷ୍ଟ୍ର ଆମେରିକା

କେତେକ ଅଞ୍ଚଳରେ ‘ମାସ୍‌ ସୁଟିଙ୍ଗ୍‌’ ଘଟିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ମାସରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଧୁକ-ହିଂସାକୁ ‘ମହାମାରୀ’ ଏବଂ ‘ଆନ୍ତର୍ଜାତିକ ଲଜ୍ଜା’ ଭାବେ ଅଭିହିତ କରିଥିଲେ। ଗନ୍‌ ଭାଓଲେନ୍‌ସ୍‌ ଆର୍କାଇଭ୍‌’ ତଥ୍ୟ ଅନୁସାରେ, ଗତବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ୪୩,୦୦୦ରୁ ଊର୍ଦ୍ଧ୍ବ ବନ୍ଧୁକଜନିତ ମୃତ୍ୟୁ ରେକର୍ଡ କରାଯାଇଛି।