ଆମ ଜୀବନରେ ପୂର୍ବଜ ବା ପିତୃପୁରୁଷଙ୍କ ସ୍ଥାନ ଅତ୍ୟନ୍ତ ପୂଜନୀୟ ବୋଲି ମନେ କରାଯାଏ । ସନାତନ ପରମ୍ପରାରେ ‘ପିତୃପକ୍ଷ’ ସମୟକୁ ସ୍ୱର୍ଗତ ପୂର୍ବଜଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଓ ଶ୍ରଦ୍ଧା ପ୍ରକାଶ କରିବାର ଏକ ପବିତ୍ର ଅବସର ଭାବେ ଗ୍ରହଣ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ଏହି ସମୟରେ ପିତୃପୁରୁଷମାନେ ସୂକ୍ଷ୍ମ ରୂପରେ ପୃଥିବୀକୁ ଆସନ୍ତି ଏବଂ ପରିବାର ଲୋକଙ୍କ ଦ୍ୱାରା କରାଯାଉଥିବା ତର୍ପଣ ଓ ଦାନ-ପୁଣ୍ୟରେ ସନ୍ତୁଷ୍ଟ ହୋଇ ସୁଖ-ସମୃଦ୍ଧିର ଆଶୀର୍ବାଦ ଦିଅନ୍ତି ବୋଲି ବିଶ୍ୱାସ ରହିଛି। ସାଧାରଣ ନିୟମ ଅନୁସାରେ, ଯେଉଁ ତିଥିରେ ପୂର୍ବଜଙ୍କ ଦେହାବସାନ ହୋଇଥିଲା, ପିତୃପକ୍ଷର ସେହି ତିଥିରେ ତାଙ୍କର ଶ୍ରାଦ୍ଧ କରାଯାଏ। ତେବେ ପିତୃପକ୍ଷ ସମୟରେ ଏପରି ୩ଟି ବିଶେଷ ତିଥି ରହିଛି, ଯାହାର ନିଜସ୍ୱ ଏକ ଭିନ୍ନ ଓ ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି।
ମହାଭରଣୀ ଶ୍ରାଦ୍ଧ :
ଭରଣୀ ନକ୍ଷତ୍ର ସହ ଜଡ଼ିତ ଥିବାରୁ ଏହି ଦିନକୁ ‘ମହାଭରଣୀ ଶ୍ରାଦ୍ଧ’ କୁହାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ପରିବାରର କୌଣସି ସଦସ୍ୟଙ୍କର ଅକାଳ ମୃତ୍ୟୁ ହୋଇଥିଲେ କିମ୍ବା ସେ ଅବିବାହିତ ଥିଲେ, ଏହି ଦିନ ତାଙ୍କର ଶ୍ରାଦ୍ଧ କରିବା ବିଶେଷ ଫଳଦାୟୀ ବୋଲି ବିଶ୍ୱାସ କରାଯାଏ । ସେହିପରି, କୌଣସି ପରିଜନଙ୍କ ଦେହାବସାନର ଏକ ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି ତିଥିର ମହତ୍ତ୍ୱ ବଢ଼ିଯାଏ । ୨୦୨୬ ମସିହାରେ ମହାଭରଣୀ ଶ୍ରାଦ୍ଧ ସେପ୍ଟେମ୍ବର ୨୯ ତାରିଖ, ମଙ୍ଗଳବାର ପଡ଼ୁଛି ।
ମାତୃ ନବମୀ :
ପିତୃପକ୍ଷର ନବମୀ ତିଥି ସମ୍ପୂର୍ଣ୍ଣ ଭାବେ ପରିବାରର ସ୍ୱର୍ଗତ ମହିଳା ପୂର୍ବଜମାନଙ୍କ—ଯେପରିକି ମା’, ଜେଜେମା’, ଆଈ, ଭଉଣୀ କିମ୍ବା ଶାଶୁ—ଙ୍କ ସ୍ମୃତିକୁ ସମର୍ପିତ । ଏହାକୁ ‘ମାତୃ ଶ୍ରାଦ୍ଧ’ ମଧ୍ୟ କୁହାଯାଏ ।
ଯଦି କୌଣସି କାରଣରୁ ପରିବାରର କୌଣସି ମହିଳା ସଦସ୍ୟଙ୍କ ଦେହାବସାନର ସଠିକ୍ ତିଥି ମନେ ନଥାଏ, ତେବେ ମାତୃ ନବମୀ ଦିନ ତାଙ୍କ ନାମରେ ତର୍ପଣ, ଦାନ ଏବଂ ବ୍ରାହ୍ମଣ କିମ୍ବା କନ୍ୟାଙ୍କୁ ଭୋଜନ କରାଇବା ଶୁଭ ବୋଲି ମନେ କରାଯାଏ । ୨୦୨୬ ମସିହାରେ ମାତୃ ନବମୀ ଅକ୍ଟୋବର ୪ ତାରିଖ, ରବିବାର ପାଳନ କରାଯିବ।
ସର୍ବପିତୃ ଅମାବାସ୍ୟା :
ପିତୃପକ୍ଷର ଶେଷ ଦିନକୁ ‘ସର୍ବପିତୃ ଅମାବାସ୍ୟା’ କୁହାଯାଏ। ଏହାକୁ ‘ମହାଳୟ ଅମାବାସ୍ୟା’ ନାମରେ ମଧ୍ୟ ଜଣାଯାଏ। ଏହା ପିତୃପକ୍ଷର ସବୁଠାରୁ ପ୍ରମୁଖ ଦିନ ବୋଲି ମନେ କରାଯାଏ।
ଯଦି ଆପଣଙ୍କ କୌଣସି ପୂର୍ବଜଙ୍କ ଦେହାବସାନର ସଠିକ୍ ତିଥି ଜଣା ନଥାଏ କିମ୍ବା କୌଣସି କାରଣରୁ ନିର୍ଦ୍ଧାରିତ ତିଥିରେ ଶ୍ରାଦ୍ଧ କରିବାରେ ଆପଣ ବଞ୍ଚିତ ହୋଇଥାନ୍ତି, ତେବେ ଏହି ଦିନ ସମସ୍ତ ପିତୃପୁରୁଷଙ୍କ ପାଇଁ ଏକାଠି ତର୍ପଣ ଓ ପିଣ୍ଡଦାନ କରାଯାଇପାରେ। ଏହି ଦିନ କରାଯାଉଥିବା ଦାନରେ ସମସ୍ତ ପିତୃପୁରୁଷ ସନ୍ତୁଷ୍ଟ ହୋଇ ନିଜ ଲୋକକୁ ଫେରିଯାଆନ୍ତି ବୋଲି ଧାର୍ମିକ ବିଶ୍ୱାସ ରହିଛି। ଚଳିତ ବର୍ଷ ସର୍ବପିତୃ ଅମାବାସ୍ୟା ଅକ୍ଟୋବର ୧୦ ତାରିଖ, ଶନିବାର ପଡ଼ିବ ।
କ’ଣ ନିୟମ?
ନା, ଏହା ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହେଁ। ହିନ୍ଦୁ ଶାସ୍ତ୍ର ଅନୁସାରେ, ଯେଉଁ ତିଥିରେ ବ୍ୟକ୍ତିଙ୍କର ଦେହାବସାନ ହୋଇଥାଏ, ପିତୃପକ୍ଷର ସେହି ତିଥିରେ ତାଙ୍କର ତର୍ପଣ କରିବା ପ୍ରାଥମିକ ନିୟମ ବୋଲି ମନେ କରାଯାଏ।
ଉଦାହରଣ ସ୍ୱରୂପ, କାହାର ଦେହାବସାନ ଦ୍ୱିତୀୟା କିମ୍ବା ଅଷ୍ଟମୀ ତିଥିରେ ହୋଇଥିଲେ, ତାଙ୍କର ଶ୍ରାଦ୍ଧ ମଧ୍ୟ ସେହି ତିଥିରେ କରାଯିବା ଉଚିତ । ଉପରେ ଉଲ୍ଲେଖ କରାଯାଇଥିବା ୩ଟି ତିଥିର ମହତ୍ତ୍ୱ ଏଥିପାଇଁ ଅଧିକ ଯେ, ତିଥି ମନେ ନଥିବା, ମହିଳା ପୂର୍ବଜଙ୍କ ପାଇଁ ବିଶେଷ ଶ୍ରାଦ୍ଧ କରିବା କିମ୍ବା ଅବିବାହିତ ବ୍ୟକ୍ତିଙ୍କ ପାଇଁ ଶ୍ରାଦ୍ଧ ଭଳି ବିଶେଷ ପରିସ୍ଥିତିରେ ଏହା ଏକ ସୁବିଧାଜନକ ଧାର୍ମିକ ବିଧି ଭାବେ ଗ୍ରହଣ କରାଯାଏ ।