ଜନସଂଖ୍ୟା ହ୍ରାସ ପାଇଁ ଜାପାନରେ ପ୍ରତିବର୍ଷ ବନ୍ଦ ହେଉଛି ୪୫୦ ସ୍କୁଲ

ଟୋକିୟୋ,୨୦/୪: ଜାପାନରେ ପ୍ରତି ବର୍ଷ ଜନ୍ମ ହାର ହ୍ରାସ ହୋଇ ଚାଲୁଥିବା ବେଳେ ସରକାର ଏବେ ଲୋକଙ୍କୁ ପ୍ରଜନନ ପାଇଁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ପିଲାଙ୍କ ପାଳନ ପୋଷଣ ପାଇଁ ମଧ୍ୟ ସରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଜାପାନୀମାନେ ଏବେ ସନ୍ତାନ ପ୍ରଜନନ ଲାଗି ଏତେ ଆଗ୍ରହୀ ହେଉ ନାହାନ୍ତି। ଫଳରେ ଜାପାନୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ହେଉଥିବା ବେଳେ ଅନେକ ସ୍କୁଲ ବନ୍ଦ ହୋଇଗଲାଣି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫୁକୁସିମା ପ୍ରିଫେକ୍ଚରର ଏକ ଦୁର୍ଗମ ଅଞ୍ଚଳରେ ସ୍କୁଲଟିଏ ରହିଛି। ଯେଉଁଠି ଏବେ ଖୁବ୍ କମ୍ ଛାତ୍ର ଏବେ ପଢୁଛନ୍ତି। ଏହି ସ୍କୁଲରେ ଆଡମିସନ ହେଉ ନଥିବାରୁ ସ୍କୁଲକୁ ବନ୍ଦ କରିଦେବାକୁ କର୍ତ୍ତୃପକ୍ଷ ବିଚାର କରୁଥିବା ଜଣାପଡିଛି। ସ୍କୁଲରେ ଏବେ ଶେଷ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେମାନେ ହେଉଛନ୍ତି ଆଓଇ ହୋସି ଓ ଇତା ସାତୋ। ସେମାନଙ୍କର ପଢା ମଧ୍ୟ ଏବେ ଶେଷ ହେବା ଉପରେ। ଏହି ଦୁଇ ଛାତ୍ରଛାତ୍ରୀ ସ୍କୁଲ ଛାଡିବା ପରେ ଏଠାରେ ପଢିବାକୁ ଆଉ କେହି ଛାତ୍ରଛାତ୍ରୀ ନାହାନ୍ତି। ତଥ୍ୟରୁ ଜଣାପଡୁଛି ଛାତ୍ରଛାତ୍ରୀଙ୍କ ଅଭାବ ଯୋଗୁ ଜାପାନରେ ଏବେ ବାର୍ଷିକ ୪୫୦ଟି ସ୍କୁଲ ବନ୍ଦ ହେଉଛି। ୨୦୦୨ରୁ ୨୦୨୦ ମଧ୍ୟରେ ଦେଶର ପ୍ରାୟ ୯ ହଜାର ସ୍କୁଲ ବନ୍ଦ ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲମାନଙ୍କରେ ଏବେ ଛାତ୍ରଛାତ୍ରୀ ଆଉ ଆଡମିସନ ନେଉ ନାହାନ୍ତି।

ଜାପାନରେ ଗତବର୍ଷ ଅର୍ଥାତ ୨୦୨୨ ମସିହାରେ ସାରା ଦେଶରେ ମାତ୍ର ୮ ଲକ୍ଷ ଶିଶୁ ଜନ୍ମ ହୋଇଛନ୍ତି। ଦେଶରେ ଶିଶୁ ଜନ୍ମହାର ହ୍ରାସ ହେବାରେ ଲାଗିଛି। ଏଥିପାଇଁ ଜାପାନୀ ଅଭିଭାବକମାନେ ଯାହା କହୁଛନ୍ତି ତାହା ହେଉଛି ପିଲାଙ୍କ ପାଳନପୋଷଣ ବାବଦ ଖର୍ଚ୍ଚ। ଦେଶରେ ପିଲାଙ୍କ ପାଳନ ପୋଷଣ ଖର୍ଚ୍ଚ ବଢି ବଢି ଚାଲିଥିବାରୁ ଦମ୍ପତ୍ତି ବିବାହ ପରେ ସନ୍ତାନ ଉତ୍ପାଦନ କରିବାକୁ ଚାହୁଁ ନାହାନ୍ତି। ତେବେ ଏହା କେବଳ ଜାପାନର ଚିନ୍ତା ନୁହେଁ ଦକ୍ଷିଣ କୋରିଆ ଓ ଚୀନ୍‌ରେ ମଧ୍ୟ ଏବେ ସମାନ ଅବସ୍ଥା ଉପୁଜିଛି।