ଭୁବନେଶ୍ବର : ଜାମୁ-କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସହିଦ ହୋଇଥିବା ଓଡ଼ିଆ ଯବାନ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳ । ଭାରତୀୟ ସେନା ମୁଖ୍ୟାଳୟରୁ ଦେବାଶିଷଙ୍କ ଘରକୁ ଏହି ଦୁଃଖଦ ଖବର ଦିଆଯାଇଛି। ଏହି ଖବର ପ୍ରଚାର ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସହିଦ ଦେବାଶିଷ ବିଶ୍ୱାଳ ୨୦୨୧ରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ। ମାତ୍ର ୭ ମାସ ତଳେ ଦେବାଶିଷ କନ୍ୟା ସନ୍ତାନର ବାପା ହେବାର ଗୌରବ ପାଇଥିଲେ। କିନ୍ତୁ ଏହି ସୁଖର ସଂସାର ଆତଙ୍କୀ ଆକ୍ରମଣରେ ଉଜୁଡ଼ି ଯାଇଛି। ଜାମୁ-କଶ୍ମୀରର ପୁଞ୍ଚରେ ଯବାନମାନେ ଗୋଟିଏ ଟ୍ରକ୍ରେ ଯାଉଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଫଳରେ ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।