ବିଦ୍ୟୁତ ସଂସ୍ପର୍ଶରେ ଆସି ଚାର୍ଜ ହୋଇଗଲା ମେସିନ୍, ୮ ଶ୍ରମିକ ମୃତ

ନୂଆଦିଲ୍ଲୀ, ୦୨/୧୧ : ରାଜସ୍ଥାନର ଝୁନଝୁନୁ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଜି ଉଦୟପୁରୱାଟି ତହସିଲ ଅନ୍ତର୍ଗତ ଛାପୋଲି ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍ ଆଘାତରେ ୮ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଅନ୍ୟ ୫ ଜଣ ଶ୍ରମିକ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ଉଦୟପୁରୱାଟି ଥାନା ଅଧିକାରୀ ରାମପାଲ କହିଛନ୍ତି ଯେ, ରାସ୍ତା ନିର୍ମାଣ ସମୟରେ ବାଲି-ଗୋଡ଼ି ମିଶ୍ରଣ ପାଇଁ ବ୍ୟବହାର କରାଯାଉଥିବା ଏକ ମେସିନ୍, ଉପରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ବିଦ୍ୟୁତ୍ ତାର ସହ ସଂସ୍ପର୍ଶରେ ଆସିବା ମାତ୍ରେ ମେସିନଟି ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଇଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ୮ ଜଣ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟ କିଛି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତେଜିତ ଗ୍ରାମବାସୀ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ବିଧାୟକ ଭଗୱାନରାମ ସୈନି ଏବଂ ଡିଏସ୍‌ପି ସୁଗନ ସିଂହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ସମସ୍ତ ମୃତ ଶ୍ରମିକ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଚିକିତ୍ସା ଦଳକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ପରିବାରବର୍ଗଙ୍କୁ ସମ୍ଭବପର ସମସ୍ତ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।