ମଧ୍ୟପ୍ରଦେଶରେ ବୁଡ଼ି ୮ ଓଡ଼ିଆ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ, ୧୯/୦୯ : ମଧ୍ୟପ୍ରଦେଶରେ ଭାସିଗଲେ ୮ ଓଡ଼ିଆ ଶ୍ରଦ୍ଧାଳୁ । ନାଳରେ ପ୍ରବଳ ସ୍ରୋତରେ କାର୍ ସହ ଭାସିଗଲେ । ମଧ୍ୟପ୍ରଦେଶ ଅଗର ମଲୱା ଜିଲ୍ଲାରେ ଅଭାବନୀୟ ଘଟଣା । ମାଆ ବଗଳାମୁଖୀ ମନ୍ଦିର ନିକଟରେ କାର୍ ସହ ଭାସି ଯାଇଛନ୍ତି । ୮ ଜଣଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି । ସେମାନେ ସମସ୍ତେ ଓଡ଼ିଶାର ଲୋକ ବୋଲି ମଧ୍ୟ ପ୍ରଦେଶ ପୋଲିସ କହିଛି । ଏମାନେ ଉଜ୍ଜୟିନୀରୁ ମାଆ ବଗଳାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ସେମାନଙ୍କୁ ଖୋଜିବାକୁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି ।

ଉଜ୍ଜୟିନୀରୁ ଏକ ଗାଡ଼ିରେ ନଲଖେଡ଼ାର ପ୍ରସିଦ୍ଧ ମା’ ବଗଲାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଅଞ୍ଚଳରେ ରାତିସାରା ପ୍ରବଳ ବର୍ଷା ହୋଇଥିବାରୁ ମନ୍ଦିର ନିକଟରେ ଥିବା ନାଳରେ ହଠାତ୍ ପାଣି ବଢ଼ିବା ସହ ସ୍ରୋତ ଅତ୍ୟନ୍ତ ପ୍ରଖର ହୋଇଯାଇଥିଲା । ଏହି ସମୟରେ କାରଟି ନାଳ ପାର ହେବାକୁ ଉଦ୍ୟମ କରିଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ଗାଡ଼ିଟି ନିୟନ୍ତ୍ରଣ ହରାଇ ପାଣିରେ ଭାସିଯାଇଥିଲା । ପରେ ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ କୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ କାରରେ ଥିବା ସମସ୍ତ ୮ ଜଣଙ୍କ ଜୀବନ ଚାଲିଯାଇଥିଲା ।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାଣିର ସ୍ରୋତ ପ୍ରଖର ଥିବା ସତ୍ତ୍ୱେ ଡ୍ରାଇଭର ତରବରିଆ ଭାବେ ନାଳ ପାର ହେବାକୁ ଚେଷ୍ଟା କରିଥାଇପାରନ୍ତି। ଏହା ଫଳରେ ଗାଡ଼ିଟି ସ୍ରୋତରେ ଫସି ଭାସିଯାଇଥିବା ଆଶଙ୍କା କରାଯାଉଛି। ଜ୍ୱାଇଁ ଜ୍ଞନେନ୍ଦ୍ର ବେହେରା, ଦୁଇ ନାତି କ୍ରୀଷ୍ଣାରାଜବୀର ଓ ବି.ସାଇ ସ୍ୱାସ୍ତିକ ଏବଂ ନାତୁଣୀ ସାଇରା ସ୍ୱୟଂପ୍ରଭା । ମା’ ବଗଲାମୁଖୀଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଅଘଟଣ ହୋଇଥିବା ଜଣାପଡିଛି ।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି । କାର୍ ଭିତରେ ମୋଟ ୮ ଜଣ ଥିଲେ । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ମୃତକମାନଙ୍କ ଓଡିଶାର ବୋଲି ପରିଚୟ ଜଣାପଡିଛି । ସମସ୍ତ ମୃତଦେହର ପୋଷ୍ଟମର୍ଟମ୍ କରାଯିବା ସହ ପ୍ରକ୍ରିୟା ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ମଧ୍ୟପ୍ରଦେଶ ସରକାର ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ।