ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା କରିବେ ନଗର ପରିକ୍ରମା

ଭୁବନେଶ୍ୱର, ୧୯/୦୯ : ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ, ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି ରାଧାଷ୍ଟମୀ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇଥାନ୍ତି । ଏହାପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନୀତି ସମ୍ପର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।