ପୁରୀ ୨୨/୦୪: ଭକ୍ତଙ୍କ ସୁବିଧା ପାଇଁ ୮୫ଟି ବିଦ୍ୟୁତ ବା ବ୍ୟାଟେରୀ ଚାଳିତ ଯାନ ବଡ଼ଦାଣ୍ଡରେ ଗଡ଼ିବ । ପାର୍କିଂ ସ୍ଥାନ ନିକଟରୁ ଆଣି ଶ୍ରୀମନ୍ଦିର ପାଖ ଭକ୍ତଙ୍କ ଧାଡ଼ି ପାଖରେ ଆଣି ଛାଡ଼ିବ । ଏଥିପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ(ଓବିସିସି) ପ୍ରଥମ ପର୍ଯ୍ୟାୟରେ ୮୫ଟି ବିଦ୍ୟୁତ ଚାଳିତ ଯାନ କିଣିବାକୁ ଯାଉଛି । ଏନେଇ ଓବିସିସି ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଗାଡ଼ି ଭିତରେ ରହିଛି ୩୫ଟି ଏସି ଇଲେକଟ୍ରିକ୍ ମିନି ବସ୍ ଓ ୫୦ଟି ବ୍ୟାଟେରୀ ଚାଳିତ ଯାନ ।
ଗୋଟିଏ ବସ୍ରେ ବସିବାର କ୍ଷମତା ରହିବ ୨୫ ଜଣ ଯାତ୍ରୀ । ବସ୍ର ଲମ୍ବ ୨୫ରୁ ୩୦ ଫୁଟ ମଧ୍ୟରେ ରହିବ । ସେହିପରି ବ୍ୟାଟେରୀ ଚାଳିତ ଅନ୍ୟ ଯାନଗୁଡ଼ିକର ଲମ୍ବ ୧୫ ଫୁଟ ରହିବ । ପୁରୀ ସହରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ନିରବଚ୍ଛିନ୍ନ ଏବଂ ସୁଲଭ ମୂଲ୍ୟରେ ଗମନାଗମନ କରିବା ଉଦ୍ଦେଶ୍ୟ ନେଇ ଏସବୁ ଇଭି ଚଳାଚଳ କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି । ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ଖୁବ୍ଶୀଘ୍ର ଏସବୁ ଗାଡ଼ି ଗଡ଼ିବ ବୋଲି ଜଣାପଡ଼ିଛି । ପୁରୀ ସହରରେ ପ୍ରଦୂଷଣ ହ୍ରାସ ସହିତ ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କ ଗମନାଗମନକୁ ଅଧିକ ସୁଗମ କରିବା ଲାଗି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସହରରେ ଏବେ ବିଦ୍ୟୁତ ଯାନ ଚଳାଚଳ କରୁଛି ।
ପୁରୀକୁ ପ୍ରତ୍ୟେହ ହଜାର ହଜାର ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ରାଜ୍ୟ ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ସେମାନେ ଯେପରି ପୁରୀରେ ସମସ୍ତ ପ୍ରକାର ସୁବିଧା ସହ ଭଲ ଅନୁଭୂତି ପାଇବେ, ସେଥିପାଇଁ ପରିକ୍ରମା ପ୍ରକଳ୍ପ ଅଧୀନରେ ବଡ଼ଦାଣ୍ଡରେ ବିଦ୍ୟୁତ୍ ଯାନ ଚଳାଯିବ। ପରିକ୍ରମା ପ୍ରକଳ୍ପ ଶେଷ ହେବା ପରେ ପୁରୀ ମନ୍ଦିରର ରୂପରେଖ ଏକ ନୂଆ ଅନୁଭୂତି ଆଣିଦେବ । ରାଜଧାନୀରେ ଅନେକ ଇଲେକଟ୍ରିକ ‘ମୋ ବସ୍’ ଚଳାଚଳ କରୁଛି । ଆଗକୁ ପୁରୀକୁ ମଧ୍ୟ ଅଧିକ ଇଲେକଟ୍ରିକ ‘ମୋ ବସ୍’ ଚଳାଚଳ କରିବ । ପୁରୀ ପାଇଁ ଓବିସିସି ଯେଉଁ ସବୁ କାର୍ଯ୍ୟ ହାତକୁ ନେଇଛି, ସେସବୁର ଅଗ୍ରଗତିକୁ ନେଇ ରାଜ୍ୟ ସରକାର ସନ୍ତୁଷ୍ଟ ଥିବାରୁ ଏହି ଦାୟିତ୍ୱ ସଂସ୍ଥାକୁ ଦିଆଯାଇଛ ।
