ଭୁବନେଶ୍ଵର : ଆଧୁନିକ ଯୁଗରେ ବିଜ୍ଞାନ ଆଧାରରେ ବଦଳୁଛି ସବୁକିଛି। ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଲୋକଙ୍କୁ ଉପଲବ୍ଧ ହୋଇପାରୁଛି ଉନ୍ନତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରିତ ଚିକିତ୍ସା ସେବା। ଏଭଳି ଏକ ଉଦାହରଣ ସୃଷ୍ଟି କରିଛି PGIMER ଆଣ୍ଡ କ୍ୟାପିଟାଲ ହସ୍ପିଟାଲ। ଲାପ୍ରୋସ୍କୋପି ଜରିଆରେ ହାର୍ନିଆ ଭଳି ରୋଗର ଲାଇଭ ତଥା ସଫଳ ଚିକିତ୍ସା କରାଯାଇପାରିଛି। ପୂର୍ବରୁ ଏହି ଚିକିତ୍ସାରେ ଶତକଡା ୫୦ ଭାଗ ରୋଗୀଙ୍କର ମୃତ୍ୟୁ ଘଟୁଥିଲା। ବର୍ତ୍ତମାନ ଏହି ହାର ଶୁନ୍ୟ ହୋଇପାରିଛି।
PGIMER ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ଆୟୋଜିତ ଦୁଇଦିନିଆ ଲାଇଭ କର୍ମଶାଳାରେ ୩ଟି ରୋଗୀଙ୍କର ଲାପ୍ରୋସ୍କୋପି ଜରିଆରେ ସମ୍ପୂର୍ଣ୍ଣ ମାଗଣାରେ ସଫଳ ହାର୍ନିଆ ଅସ୍ତ୍ରୋପଚାର କରାଯାଇଛି। ଏହି କର୍ମଶାଳାରେ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ବହୁ ସର୍ଜରୀ ବା ଶଲ୍ୟ ବିଭାଗ ବିଶେଷଜ୍ଞ ସାମିଲ ହୋଇଥିଲେ। ଶେଷରେ କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ଡାକ୍ତରଙ୍କୁ ହସ୍ପିଟାଲ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।