ଭୁବନେଶ୍ୱର,୬/୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସରିଲା କଂଗ୍ରେସର ପ୍ରାର୍ଥୀ ଚୟନ । କଂଗ୍ରେସର ରାଜ୍ୟ ନିର୍ବାଚନ କମିଟି ବୈଠକ ଶେଷ ହୋଇଛି । ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି । ଏହା ଉପରେ ଶେଷ ମହୋର ତଥା ଅନୁମୋଦନ ପାଇଁ କେନ୍ଦ୍ରୀୟ କମିଟିକୁ ପଠାଗଲା ପ୍ରାର୍ଥୀ ତାଲିକା । ବୈଠକ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପ୍ରାର୍ଥୀ ଚୟନ ବେଳେ ଯୁବ ଓ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଛି ବୋଲି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି ।
ଆସନ୍ତା ମାର୍ଚ୍ଚ ୧୦ରେ ଚୂଡାନ୍ତ ପାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ନିମନ୍ତେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି.ଡି. ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ୍ ପ୍ରସାଦ ଚଳିତ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଓଡିଶା ଗସ୍ତରେ ଆସିଥିଲେ ।
ପ୍ରାର୍ଥୀ ଚୟନ ସଂପର୍କରେ ରାଜ୍ୟରେ ବିଭିନ୍ନ କ୍ଷେତ୍ର ଅନ୍ତର୍ଗତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ଜିଲ୍ଲା କଂଗ୍ରେସ ସଭାପତି / କାର୍ଯ୍ୟକାରୀ ସଭାପତି, ଜିଲ୍ଲା ପରିଷଦ ଜୋନ କଂଗ୍ରେସ ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ସାଂସଦ / ପୂର୍ବତନ ସାଂସଦ, ବିଧାୟକ / ପୂର୍ବତନ ବିଧାୟକ / ଜିଲ୍ଲା ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ / ଜିଲ୍ଲା ଦାୟିତ୍ୱରେ ଥିବା ପିସିସି କର୍ମକର୍ତା, ପ୍ରଭାରୀ ଓ ସହ-ପ୍ରଭାରୀ, କାଉନସିଲର, ପୂର୍ବତନ କାଉନ୍ସିଲର, ଜିଲ୍ଲା ପରିଷଦ ସଭ୍ୟ ଓ ପୂର୍ବତନ ସଭ୍ୟମାନଙ୍କୁ ଭେଟି ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ କରିଥିଲେ ।