ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା : ପୋଲିସ ଛାଉଣୀରେ ବଡ଼ଦେଉଳ

ଭୁବନେଶ୍ୱର, ୦୯/୦୫ : ଭାରତ-ପାକିସ୍ତାନ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଉଗ୍ର ରୂପ ଧାରଣ କରିଛି । ଯୁଦ୍ଧ ଘୋଷଣା ହୋଇ ନ ଥିଲେ ହେଁ ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ମନ୍ଦିର ଚତୁଃପାର୍ଶ୍ବରେ ବୋମା ନିରୋଧି ଦଳ ତନ୍‌ତନ୍ କରି ଯାଞ୍ଚ କରୁଛନ୍ତି। ଡଗ୍ ସ୍କ୍ବର୍ଡ ମଧ୍ୟ ମୁତୟନ କରାଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସେହିପରି ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି। ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। ଗୁରୁବାର ସାରା ରାତିରେ ଚେକିଂ ଏବଂ ବ୍ଲକିଂ ଜୋରଦାର କରାଯାଇଥିଲା। ସହରର ବିଭିନ୍ନ ହୋଟେଲ,ଲଜ୍, ଧର୍ମଶାଳ ଗୁଡ଼ିକରେ ମଧ୍ୟ ଯାଞ୍ଚ କରାଯାଇଛି। ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଉଛି।