ବର୍ଷାରେ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ, ଭାଗହେଲା ପଏଣ୍ଟ

ନଟ୍ଟିଂହାମ୍,୧୩/୬: ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ୧୮ ତମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଛି. ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବିନା ଟସ୍‌ରେ ବାତିଲ କରାଯାଇଛି । ଟ୍ରେଣ୍ଟ ବ୍ରିଜ୍‌ରେ ପୁରା ଦିନ ବର୍ଷାର ପ୍ରକୋପ ଦେଖିବାକୁ ମିଳିଥିଲା । ଶେଷରେ ମ୍ୟାଚକୁ ବାତିଲ କରାଯାଇଛି । ଚଳିତ ବିଶ୍ୱକପରେ ଖେଳାଯାଇଥିବା ୧୮ଟି ମ୍ୟାଚ ମଧ୍ୟରୁ ଆଜିର ମ୍ୟାଚକୁ ମିଶାଇ ୪ଟି ମ୍ୟାଚ ବାତିଲ ହୋଇସାରିଛି ।

ମ୍ୟାଚ ବାତିଲ ହେବା ପରେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି । ତେବେ ଏହି ପଏଣ୍ଟ ଭାଗ ପରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରୁ ୩ଟି ବିଜୟ ସହିତ ସର୍ବାଧିକ ୭ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ୩ଟି ମ୍ୟାଚରୁ ୨ଟି ବିଜୟ ସହ ମୋଟ ୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ଭାରତ ତାର ପରବର୍ତ୍ତୀ ମୁକାବିଲା ଜୁନ ୧୬ ତାରିଖ(ରବିବାର) ଦିନ ପାକିସ୍ତାନ ବିପକ୍ଷରେ ଖେଳିବ ।

ସୂଚନାଯୋଗ୍ୟ ଯେ, ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚକୁ ମିଶାଇ ବର୍ତ୍ତମାନ ସୁଦ୍ଧା ବର୍ଷା କାରଣରୁ ଚାରୋଟି ମ୍ୟାଚ ବାତିଲ ହୋଇସାରିଛି । ଏହା ପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । ଏହା ପୂର୍ବରୁ କୌଣସି ବିଶ୍ୱକପରେ ଏତେ ସଂଖ୍ୟକ ମ୍ୟାଚ ବାତିଲ ହୋଇନଥିବା ବେଳେ ଚଳିତ ବିଶ୍ୱକପରେ ଏହା ବଡ ଚିନ୍ତାର କାରଣ ପାଲଟିଛି । ଏହା ପରେ ମଧ୍ୟ ଆହୁରି କିଛି ମ୍ୟାଚରେ ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି ।