ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏବଂ ସେଲକୋ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା ଅନୁଷ୍ଠିତ

ପୁରୀ, ୨୨/୧୨ : (ଓଡିଶା ଖବର) – ପୁରୀ ସ୍ଥିତ ପ୍ରାଇଡ ଅନନ୍ୟା ହୋଟେଲ ସଭାଗୃହ ମଧ୍ୟରେ, ୨୧ ଡିସେମ୍ବର ୨୦୨୫, ରବିବାର ଦିନ, ସେଲକୋ ଫାଉଣ୍ଡେସନ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏବଂ ସ୍ପନ୍ଦନ ଅନୁଷ୍ଠାନର ମିଳିତ ସହଯୋଗରେ ‘ଜଳବାୟୁ ଉପଯୋଗୀ ସ୍ଥିର ଜୀବିକା ପାଇଁ ଆର୍ଥିକ ଅନୁପ୍ରବେଶ’ ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଉକ୍ତ କର୍ମଶାଳାରେ ସେଲକୋ ଫାଉଣ୍ଡେସନର ବରିଷ୍ଠ ଉପଦେଷ୍ଟା ପ୍ରଭୁ ପ୍ରସାଦ ମିଶ୍ର, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ପ୍ରବନ୍ଧକ ମାନସ ରଞ୍ଜନ ମିଶ୍ର, ପିପିଲି ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ସୌମ୍ୟ ଦର୍ଶନ କର ଏବଂ ସ୍ପନ୍ଦନ ଅନୁଷ୍ଠାନର ସଭାନେତ୍ରୀ ବର୍ଷାରାଣୀ ମିଶ୍ରଙ୍କ ସହିତ ୨୫ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଶାଖା ପ୍ରବନ୍ଧକ ଏବଂ ଆମବିତ ବିଭିନ୍ନ ଘରୋଇ ସଂସ୍ଥାର ପରିଚାଳକ, ସଫଳ ଉଦ୍ୟୋଗୀ, ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସୌରଶକ୍ତି ଆଧାରିତ ସ୍ଥାୟୀ ଜୀବନଜୀବିକା ମାଧ୍ୟମରେ ଉଦ୍ୟୋଗୀ ସୃଷ୍ଟି କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ- ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେଲକୋର
ସଞ୍ଜୟ ତ୍ରିପାଠୀ ପ୍ରକାଶ କରିଥିଲେ । ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଆଗ୍ରହୀ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୌରଶକ୍ତି ଭିତ୍ତିକ ଜୀବନଜୀବିକା ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଋଣ ଦେବା ପାଇଁ ହାତ ବଢାଇଛି ବୋଲି ସେ କହିଥିଲେ ।

ସେଲକୋ ଫାଉଣ୍ଡେସନ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଜରିଆରେ ୫୦୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗୀ ସୃଷ୍ଟି କରିବା ଏବଂ ଏଥିପ୍ରତି ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରାଥମିକ ସ୍ତରରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଶାଖା ଅଧିକାରୀମାନେ ସହମତି ପ୍ରକାଶ କରିଥିଲେ । ଜଣେ କୁମ୍ଭାର ଉଦ୍ୟୋଗୀ, ବନିତା ମୁଦୁଲି, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଠାରୁ ଋଣ ମାଧ୍ୟମରେ ସୌରଶକ୍ତି ଆଧାରିତ ଜୀବିକା ଦ୍ୱାରା କିପରି ସଫଳ ହୋଇପାରିଛନ୍ତି, ତାହା ବର୍ଣ୍ଣନା କରିଥିଲେ । ସୌରଭ, ସାଇନା, ଅଭିଜିତ, ସତୀଶ ପ୍ରଭୃତି ସେଲକୋ ଫାଉଣ୍ଡେସନ ଏବଂ ସ୍ପନ୍ଦନ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି
ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ ।

Madhukunj