ନୂଆଦିଲ୍ଲୀ, ୧୫/୦୧ : ଆଇସିସି ୧୯ ବର୍ଷରୁ କମ୍ ପୁରୁଷ ଦିନିକିଆ କ୍ରିକେଟ ବିଶ୍ବକପର ୧୬ତମ ସଂସ୍କରଣ ଆଜି ଠାରୁ ଜିମ୍ବାୱେ ଓ ନାମ୍ବିଆରେ ଆରମ୍ଭ ହେଉଛି। ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ଭାରତ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଆମେରିକା ରହିଥିବାବେଳେ ଗ୍ରୁପ-ବି ରେ ଇଂଲଣ୍ଡ, ପାକିସ୍ତାନ,ସ୍କଟଲାଣ୍ଡ, ଜିମ୍ବାୱେ, ଗ୍ରୁପ-ସି ରେ ଅଷ୍ଟ୍ରେଲିଆ, ଆର୍ୟଲାଣ୍ଡ, ଜାପାନ, ଶ୍ରୀଲଙ୍କା ଓ ଗ୍ରୁପ-ଡି ରେ ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା , ତାଞ୍ଜାନିଆ ଓ ୱେଷ୍ଟଇଣ୍ଡିଜ୍ ଦଳ ରହଛନ୍ତି। ଏଥିରେ ମୋଟ୍ ୪୧ଟି ମ୍ୟାଚ ଖେଳାଯିବ। ୪ଟି ଗ୍ରୁପରୁ ଶ୍ରେଷ୍ଠ ୬ଟି ଦଳ ସୁପର-୬କୁ ଉନ୍ନୀତ ହେବେ। ସୁପର-୬ ମ୍ୟାଚ ଜାନୁଆରୀ ୨୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଏଥିରୁ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଫେବୃଆରୀ ୩ ଓ ୪ରେ ସେମିଫାଇନାଲ ଓ ୬ରେ ଫାଇନାଲ ଖେଳାଯିବ। ବୁଲାୱେର କୁଇନ୍ସ ପାର୍କ ଗ୍ରାଉଣ୍ଡରେ ଉଦ୍ଘାଟନୀ ମ୍ୟାଚରେ ଭାରତ -ଆମେରିକାକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ ଆୟୋଜକ ଜିମ୍ବାୱେ-ସ୍କଟଲାଣ୍ଡକୁ ଭେଟିବ। ଆୟୁଷ ମାହାତ୍ରେଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଷଷ୍ଠ ଟାଇଟଲ ଲକ୍ଷ୍ୟ ନେଇ ଖେଳିବ। ଦଳ ନିକଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ବୈଭବ ପ୍ରତିଯୋଗିତାର ଅନ୍ୟତମ ଆକର୍ଷଣ ରହିଛନ୍ତି। ଏହାବାଦ୍ ଅଭିଜ୍ଞାନ କୁଣ୍ଡୁ, ବିହାନ ମାଲହୋତ୍ରା,ଦେବାନ୍ତ ତ୍ରିବେଦୀ ଓ ହରିବଂଶ ପଙ୍ଗାଲିଆଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି।ଆମେରିକା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଅନଭିଜ୍ଞ ଆମେରିକା ଦଳ ମଧ୍ୟ ଭାରତକୁ ଟକ୍କର ଦେବା ଲକ୍ଷ୍ୟ ରଖିଛି। ୧୯ ବର୍ଷରୁ କମ୍ ପୁରୁଷ ଦିନିକିଆ କ୍ରିକେଟ ବିଶ୍ବକପର ଇତିହାସକୁୂ ଦେଖିଲେ ଭାରତ ସର୍ବାଧିକ ୫ଥର ୨୦୦୦, ୨୦୦୮,୨୦୧୨, ୨୦୧୮ ଓ ୨୦୨୨ରେ ଚମ୍ପିଆନ ହୋଇଛି। ଏହା ପଛକୁ ଅଷ୍ଟ୍ରେଲିଆ ୧୯୮୮, ୨୦୦୨, ୨୦୧୦ ଓ ୨୦୨୪ରେ ୪ଥର, ପାକିସ୍ତାନ ୨୦୦୪, ୨୦୦୬ରେ ଦୁଇଥର, ଇଂଲଣ୍ଡ ୧୯୯୮, ୱେଷ୍ଟଇଣ୍ଡିଜ୍ ୨୦୧୬, ବାଂଲାଦେଶ ୨୦୨୦ ଓ ଦକ୍ଷିଣ ଆଫ୍ରିକା ୨୦୧୪ରେ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି।