ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ଆଗରେ ପୁଣି ଭାସିଲା କାର୍‌

ଭୁବନେଶ୍ୱର,୨୩/୮: ଯୋଜନା ଉପରେ ଯୋଜନା। ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଅବସ୍ଥା ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପ୍ରତିଶ୍ରୁତି। ହେଲେ ଫଳାଫଳ ଶୂନ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ମାର୍ଟସିଟିରେ ସମାନ ଅବସ୍ଥା ଭୋଗୁଛନ୍ତି ରାଜଧାନୀବାସିନ୍ଦା। ଶୁକ୍ରବାର ମାତ୍ର ୪୫ ମିନିଟ୍‌ର ବର୍ଷାରେ ରାଜଧାନୀ ବିଭିନ୍ନ ରାସ୍ତା ପାଣିରେ ଉବୁଟୁବୁ ହେବା ପରେ ଏଭଳି କିଛି ଆଲୋଚନା ହେଉଛି।

ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଯୋଗୁ ସୃଷ୍ଟ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାର ସକାଳେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ରସୁଲଗଡ଼ ଛକ, ପିଏମ୍‌ଜି ରୋଡ୍‌, ଲକ୍ଷ୍ମୀସାଗର ଛକ, ଇସ୍କନ ମନ୍ଦିର, ନିଳାଦ୍ରିବିହାର ରାସ୍ତା ଆଦିରେ କୁତ୍ରିମ ହ୍ରଦର ଭ୍ରମ ସୃ୍‌ଷ୍ଟି ହୋଇଥିଲା। ଜନ୍ମାଷ୍ଟମୀ ହେତୁ ନୟାପଲ୍ଲୀ ଇସ୍କନ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା। ହେଲେ ବର୍ଷା ଯୋଗୁ ମନ୍ଦିର ରାସ୍ତା ଉପରେ ଅଣ୍ଟାଏ ପାଣି ହେବା ସହ କାର୍‌, ବାଇକ୍‌ ଆଦି ଭାସୁଥିବା ଦେଖିବାକୁ ମିଳିଛି। ତେବେ ପୂର୍ବରୁ କଟକ ଓ ଭୁବନେଶ୍ୱରରେ ଉପୁଜୁଥିବା ଏଭଳି ସ୍ଥିତିକୁ ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ସୁଦ୍ଧା ଏହି ପରିସ୍ଥିତିର ପୁନରାବୃତ୍ତି ହୋଇଛି।

SBI_Festive_Digital Billboard