ନୂଆଦିଲ୍ଲୀ, ୧୪/୦୩ : ବୈଜ୍ଞାନିକମାନେ ୧୮୯ ବର୍ଷ ପରେ ଅରୁଣାଚଳ ପ୍ରଦେଶରେ ଏକ ବିରଳ ଉଦ୍ଭିଦ ପ୍ରଜାତିର ପୁନଃଆବିଷ୍କାର କରିଛନ୍ତି । ଭାରତର ସବୁଠାରୁ ସମୃଦ୍ଧ ଜୈବ ବିବିଧତା ହଟସ୍ପଟ୍ ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲାରେ ଫିଲ୍ଡ ସର୍ଭେ ସମୟରେ ଏହି ଫୁଲ ସମ୍ପର୍କରେ ରେକର୍ଡ଼ କରାଯାଇଥିଲା ବୋଲି ଶନିବାର ଅଧିକାରୀ କହିଛନ୍ତି । ହେଙ୍କେଲିଆ ମୋନୋଫିଲା ପ୍ରଜାତିର ଏହି ଉଦ୍ଭିଦ ସମ୍ପର୍କରେ ୧୯ ଶତାବ୍ଦୀର ପ୍ରାରମ୍ଭରୁ ଲିପିବଦ୍ଧ ହୋଇନଥିଲା । ପୂର୍ବ ହିମାଳୟର ଉଦ୍ଭିଦଗତ ରେକର୍ଡରେ ଏହି ସନ୍ଧାନ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର। ଗେସନେରିଆସି ପ୍ରଜାତିର ହେନକେଲିଆ ମୋନୋଫିଲାର ଉଦ୍ଭିଦ ସାଧାରଣତଃ ଆର୍ଦ୍ର ଜଙ୍ଗଲ ପରିବେଶରେ ଦେଖାଯାଏ । ହେଙ୍କେଲିଆ ପ୍ରଜାତିରେ ସାଧାରଣତଃ ସିଧା କିମ୍ବା ସାମାନ୍ୟ ବଙ୍କା ଉଦ୍ଭିଦ ହୋଇଥାଏ । କାହାଳୀ ଆକୃତିର ଗୋଟିଏ କିମ୍ବା ଅନେକ ଫୁଲ ସହିତ ଫଳ ମଧ୍ୟ ଆସିଥାଏ । ଉଦ୍ଭିଦ ବିଜ୍ଞାନୀ କହିଛନ୍ତି, ଭାରତର ସବୁଠୁ ସମୃଦ୍ଧ ଜୈବ ହଟ୍ସ୍ପଟରେ ନିରନ୍ତର ଫିଲ୍ଡ ସର୍ଭେ ଓ ସଂରକ୍ଷଣ ପ୍ରୟାସର ଆବଶ୍ୟକତା ଥିବା ଏଥିରୁ ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଉଦ୍ଭିଦ ବୈଜ୍ଞାନିକଙ୍କୁ ସେମାନଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।