ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ପତ୍ନୀଙ୍କ ସମ୍ପତ୍ତି ୩୫ କୋଟି

ଗୌହାଟୀ,୨୨/୩ : ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ତାଙ୍କ ପତ୍ନୀ ରିନିକି ଭୁୟାନ ଶର୍ମାଙ୍କ ମିଳିତ ସମ୍ପତ୍ତି ୨୦୨୧ର ୧୭.୨୭ କୋଟିରୁ ବୃଦ୍ଧି ପାଇ ୨୦୨୬ରେ ୩୫.୧୬ କୋଟି ଟଙ୍କା ହୋଇଯାଇଛି। ଜାଲୁକବାଡି ଆସନରୁ ନାମାଙ୍କନ ଦାଖଲ କରିବା ସମୟରେ ବିଶ୍ବଶର୍ମା ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କ ଚଳ ସମ୍ପତ୍ତି ୧.୭୨ କୋଟିରୁ ବୃଦ୍ଧି ପାଇ ୨.୩୬ କୋଟି ଟଙ୍କା ହୋଇଯାଇଛି।

ବିଶ୍ବଶର୍ମାଙ୍କ ପାଖରେ ୨.୨୮ ଲକ୍ଷ ଟଙ୍କାର ନଗଦ ରାଶି ଓ ବ୍ୟାଙ୍କ ଖାତାରେ ପ୍ରାୟ ୬୮ ଲକ୍ଷ ଟଙ୍କା ଜମା ରହିଛି। ତାଙ୍କ ପତ୍ନୀଙ୍କ ପାଖରେ ୩.୧୬ ଲକ୍ଷ ଟଙ୍କାର ନଗଦ ଓ ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟାଙ୍କରେ ରହିଛି। ବିଶ୍ବଶର୍ମାଙ୍କ ପାଖରେ ନିବେଶ, ଗାଡି ବା ବୀମା ନାହିଁ। ତାଙ୍କ ପତ୍ନୀଙ୍କ ପାଖରେ ୫.୧୦ କୋଟିର ନିବେଶ, ୧.୭୭ କୋଟି ଟଙ୍କାର ବୀମା ଓ ଏକ ଜିପ୍ ରହିଛି। ୧୮୦ ଗ୍ରାମର ସୁନା ଅଳଙ୍କାର(୨୫.୧୦ ଲକ୍ଷ ଟଙ୍କା) ଓ ପତ୍ନୀଙ୍କ ପାଖରେ ୧୪୫୯ ଗ୍ରାମ(୨.୦୩ କୋଟି ଟଙ୍କା) ସୁନା ଅଛି। ରିନିକିଙ୍କ ନାଁରେ ୩ଟି ଜମି ରହିଛି ଯାହାର ଦାମ୍ ପ୍ରାୟ ୧୯.୨୫ କୋଟି ଟଙ୍କା। ତାଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ନାହିଁ।