ପୁରୀ ପୌର ନିଗମ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ

ପୁରୀ,୨୩/୩ : ପୁରୀକୁ ପୌର ନିଗମ ଘୋଷଣା ହେବା ପରେ ପୌରନିଗମ ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ୱାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୦ ଦିନ ମଧ୍ୟରେ ଏନେଇ ଆପତ୍ତି ଓ ପ୍ରସ୍ତାବ ଦାଖଲ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି।

ପୁରୀ ପୌର ପରିଷଦର ୩୨ଟି ୱାର୍ଡ ଥିଲା। ବର୍ତ୍ତମାନ ପୌର ନିଗମ ଘୋଷିତ ହେବା ପରେ ଏହି ସଂଖ୍ୟା ୩୯ଟି ୱାର୍ଡକୁ ବୃଦ୍ଧିପାଇଛି। ଏହା ମଧ୍ୟରୁ ୧୭ଟି ୱାର୍ଡ ମହିଳାଙ୍କ ନିମନ୍ତେ ୨ଟି ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ, ଗୋଟିଏ ଅନୁସୂଚିତ ଜାତି ଓ ଗୋଟିଏ ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ଯୋଜନା କରାଯାଇଛି।

ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୯ନଂ ୱାର୍ଡ ଓ ୩୩ ନଂ ୱାର୍ଡ ଅନୁସୂଚିତ ଜାତି (ମହିଳା)ଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ୮ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିବା ବେଳେ ୩୪ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ୱାର୍ଡ ନଂ ୩୮, ୧୨, ୩୨, ୩୫, ୧୪, ୩୬, ୧୦, ୩୭, ୩୦, ୨୯, ୩୧, ୧୮, ୨୩, ୨୧, ୫, ୪ ଓ ୩ ନଂ ୱାର୍ଡ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି।