ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସମୟ ଓ ରାମନବମୀର ମହତ୍ତ୍ୱ

ଚୈତ୍ର ନବରାତ୍ରିର ନବମ ଦିନକୁ ରାମ ନବମୀ କୁହାଯାଏ। ଏହି ଦିନଟିକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି ଭାବରେ ପାଳନ କରାଯାଏ। ଆସନ୍ତୁ ଜାଣିବା ଏହି ବର୍ଷ ରାମ ନବମୀ କେବେ, ଶୁଭ ସମୟ ଓ ପୂଜା ପଦ୍ଧତି ବିଷୟରେ । ସୂର୍ଯ୍ୟୋଦୟ ଅନୁସାରେ ଆମ ରାଜ୍ୟରେ ୨୭ ତାରିଖରେ ରାମ ନବମୀ ପାଳନ କରାଯିବ । ତେବେ ଅନେକ ରାଜ୍ୟରେ ୨୬ ତାରିଖରେ ବି ରାମନବମୀ ପାଳନ ହେବ । ୨୬ ତାରିଖ ଦିନ ୧୧ଟାର ୫୦ରୁ ୨୭ ତାରିଖ ଦିନ ୧୦ଟା ୭ ମିନିଟ ଯାଏ ନବମୀ ତିଥି ରହିଛି । ଏହିପରି ସ୍ଥିତିରେ ସୂର୍ଯ୍ୟୋଦୟ ଅନୁସାରେ ୨୭ ମାର୍ଚ୍ଚ ୨୦୨୬ରେ ରାମ ନବମୀ ପାଳନ କରିବା ଅଧିକ ଶୁଭ ବୋଲି ପଞ୍ଜିକାରଙ୍କ ମତ । ରାମ ନବମୀ ଦିନ ମଧ୍ୟାହ୍ନ ସମୟର ବିଶେଷ ମହତ୍ତ୍ୱ ରହିଛି, କାରଣ ବିଶ୍ବାସ ଅନୁସାରେ ଭଗବାନ ରାମଙ୍କ ଜନ୍ମ ଦିନ ସମୟରେ ହୋଇଥିଲା । ଏହି ବର୍ଷ, ଶୁଭ ମଧ୍ୟାହ୍ନ ସମୟ ସକାଳ ୧୧:୧୩ରୁ ଅପରାହ୍ନ ଗୋଟାଏ ୪୧ ମିନିଟ୍ ପର୍ଯ୍ୟନ୍ତ ହେବ, ମଧ୍ୟାହ୍ନର ସଠିକ ମୁହୂର୍ତ୍ତ ହେଉଛି ଅପରାହ୍ନ ୧୨ଟା ୨୭। ଏହି ସମୟରେ ପୂଜା କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଅବତାରିତ ହୋଇଥିଲେ। ଭଗବାନ ବିଷ୍ଣୁଙ୍କ ଏହି ଅବତାର ରାମ ନାମରେ ଜଣାଶୁଣା। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥି ପୁନର୍ବସୁ ନକ୍ଷତ୍ରରେ ହୋଇଥିଲା । ତାଙ୍କ ରାଶି ହେଉଛି କର୍କଟ । ସେ ଅଯୋଧ୍ୟା ରାଜା ଦଶରଥଙ୍କ ଘରେ ଜନ୍ମ ନେଇ ଥିଲେ, ତେଣୁ ତାଙ୍କୁ ଦଶରଥ ନନ୍ଦନ ମଧ୍ୟ କୁହାଯାଏ। ଏହି ଉତ୍ସବକୁ ରାମ ଜନ୍ମଭୂମି ଅଯୋଧ୍ୟାରେ ବହୁତ ଆଡମ୍ବର ସହିତ ପାଳନ କରାଯାଏ। ସେଥିପାଇଁ ଭକ୍ତମାନେ ସରଜୁ ନଦୀରେ ସ୍ନାନ କରି ଭଗବାନ ଶ୍ରୀରାମଙ୍କ ଦର୍ଶନ ସହ ଆଶୀର୍ବାଦ ପ୍ରାପ୍ତ କରନ୍ତି।

ରାମ ନବମୀ ଦିନ ସକାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ ଏବଂ ପରିଷ୍କାର ବସ୍ତ୍ର ପିନ୍ଧନ୍ତୁ। ପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରିବା ପରେ ଏକ ପରିଷ୍କାର ସ୍ଥାନରେ ଭଗବାନ ଶ୍ରୀରାମଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନ କରନ୍ତୁ। ଗଙ୍ଗାଜଳରେ ଅଭିଷେକ କରନ୍ତୁ ଏବଂ ଚନ୍ଦନ, ଅକ୍ଷତ, ଫୁଲ ଓ ବସ୍ତ୍ର ଅର୍ପଣ କରନ୍ତୁ। ପରେ ଧୂପ-ଦୀପ ଜଳାଇ ପୂଜା କରନ୍ତୁ ଏବଂ ଭୋଗ ଲଗାନ୍ତୁ। ଆପଣ ରାମ ମନ୍ତ୍ର କିମ୍ବା ରାମାୟଣ ପାଠ ମଧ୍ୟ କରି ପାରିବେ। ଶେଷରେ ଭଗବାନଙ୍କୁ ସୁଖ-ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ। ‘ରାଂ ରାମାୟ ନମଃ’ ମନ୍ତ୍ର ଜପ କରନ୍ତୁ । ନଚେତ କେବଳ ‘ଶ୍ରୀରାମ ଜୟରାମ ଜୟ ଜୟ ରାମ’ ଭଜନ କରନ୍ତୁ । ରାମ ନବମୀ ଦିନ ଘର ସଜାଇବା, ନୂତନ ବସ୍ତ୍ର ପିନ୍ଧିବା ଏବଂ ହୋମ କରିବାକୁ ମଧ୍ୟ ଶୁଭ ମନାଯାଏ ।