ଭୁବନେଶ୍ୱର, ୦୫/୦୫ : ଆଜି ବିଶ୍ଵ ଆଜ୍ମା ଦିବସ । ଆଜ୍ମା ଏକ ଶ୍ୱାସକ୍ରିୟା ଜନିତ ରୋଗ। ପିଲାଠାରୁ ବୟସ୍କ ବ୍ୟକ୍ତି-ଯେକେହି ବି ଏଥିରେ ଆକ୍ରାନ୍ତ ହୋଇପାରନ୍ତି। ଏହି ରୋଗରେ ଆକ୍ରାନ୍ତ ହେଲେ ଫୁସ୍ଫୁସ୍ (ଲଙ୍ଗ୍ସ୍)ର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ। ଫଳରେ ଆକ୍ରାନ୍ତ ବ୍ୟକ୍ତି ଠିକ୍ ଭାବରେ ଶ୍ୱାସକ୍ରିୟା କରିବାରେ ଅସମର୍ଥ ହୋଇଥାଏ। ବିଶେଷଭାବରେ ଠିକ୍ ସମୟରେ ଚିକିତ୍ସା ଉପରେ ଗୁରୁତ୍ୱ ଦେଲେ ଆକ୍ରାନ୍ତ ବ୍ୟକ୍ତି ଏଥିରୁ ଅନେକାଂଶରେ ଉପଶମ ଲାଭ କରିପାରିବ। ତେଣୁ ଆଜ୍ମା ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବା ଲାଗି ପ୍ରତିବର୍ଷ ମେ’ ୫ ତାରିଖକୁ ‘ବିଶ୍ୱ ଆଜ୍ମା ଦିବସ’ ଭାବରେ ପାଳନ କରାଯାଇଥାଏ। ଉଭୟ ଥଣ୍ଡା ଏବଂ ଗରମ କାରଣରୁ ଆଜ୍ମା ସମସ୍ୟା ବଢ଼ିଯାଏ। ଆଜ୍ମା ରୋଗୀ ହଠାତ୍ ଥଣ୍ଡାରୁ ଗରମ କିମ୍ବା ଗରମରୁ ଥଣ୍ଡାକୁ ଗଲେ ଆଲର୍ଜି ହୋଇପାରେ। ଯାହାଫଳରେ ଆଜ୍ମା ଆଟାକ୍ ହେବାର ଆଶଙ୍କା ବଢ଼ି ଯାଇଥାଏ। ଧୂଳି ଏବଂ ପ୍ରଦୂଷଣ ଆଲର୍ଜି ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଶୀଘ୍ର ଆଜ୍ମା ଶିକାର କରିଥାଏ। ଏହା ସହିତ ଆଜ୍ମା ରୋଗୀ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ପଡ଼ିଥାଆନ୍ତି।ପ୍ରଦୂଷଣ ଦ୍ବାରା ବ୍ୟକ୍ତିର ଗଳା ଏବଂ ନାକରେ ସଂକ୍ରମଣ ହୋଇପାରେ।