ନୂଆଦିଲ୍ଲୀ, ୦୫/୦୫ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ବାଚନ କମିସନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ବିଜେପି ପଶ୍ଚିମବଙ୍ଗରେ ୨୦୬ଟି ଆସନ ଜିତିଛି, ଯେତେବେଳେ ଟିଏମସି ଏକ ବଡ଼ ପରାଜୟ ବରଣ କରିଛି। ପଶ୍ଚିମବଙ୍ଗ ଫଳାଫଳ ସ୍ପଷ୍ଟ ହେବା ପରେ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ କୋଲକାତାରେ ତାଙ୍କ ନବାନ୍ନ କାର୍ଯ୍ୟାଳୟ ଚାରିପାଖରେ ସୁରକ୍ଷା ବଳୟ ଲଗାଯାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଦୁଷ୍ୟନ୍ତ ନାରିଆଲା ସମସ୍ତ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବିନା ଅନୁମତିରେ କୌଣସି ସରକାରୀ କାଗଜପତ୍ର ହଟାଯାଇପାରିବ ନାହିଁ। ନଷ୍ଟ କରାଯାଇପାରିବ ନାହିଁ କିମ୍ବା ନକଲ କରାଯାଇ ନାହିଁ। ଏଥିସହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସମ୍ପର୍କରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଶ୍ରୀମତୀ ବାନାର୍ଜୀଙ୍କ ସହ ଅଭିଷେକ ବାନାର୍ଜୀ ମଧ୍ୟ ରହିବେ। ପୂର୍ବରୁ ଭବାନୀପୁର ଆସନରେ ଶୋଚନୀୟ ପରାଜୟ ପରେ ମମତା ନିର୍ବାଚନ କମିସନ ଏବଂ ବିଜେପି ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ।