ନୂଆଦିଲ୍ଲୀ, ୧୦/୦୫ : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଶନିବାର ଶପଥ ଗ୍ରହଣ କରିଥିବାବେଳେ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଢାଞ୍ଚାକୁ ପରିବର୍ତ୍ତନ କରାଯାଇଛି। ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସୁବ୍ରତ ଗୁପ୍ତାଙ୍କୁ ଶୁଭେନ୍ଦୁଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି। ସୁବ୍ରତ ହେଉଛନ୍ତିି ୧୯୯୦ ବ୍ୟାଚ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ। ଅବସର ଗ୍ରହଣ କରିବା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସି)ଙ୍କ ତରଫରୁ ସୁବ୍ରତଙ୍କୁ ପଶ୍ଚିମବଙ୍ଗରେ ଚାଲିଥିବା ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିଲା। ଏହା ବ୍ୟତୀତ ଅନ୍ୟତମ ଆଇଏଏସ ଅଧିକାରୀ ଶାନ୍ତନୁ ବାଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ଅବସ୍ଥାପିତ କରାଯାଇଛି। ୨୦୧୭ ବ୍ୟାଚ ଆଇଏଏସ ଶାନ୍ତନୁ ବର୍ତ୍ତମାନ ଦକ୍ଷିଣ ଚବିଶ ପ୍ରଗଣା ଜିଲାରେ ଅତରିକ୍ତ ଜିଲାପାଳ ଭାବେ କାର୍ଯ୍ୟରତ ଅଛନ୍ତିି। ଏହି ଦୁଇ ଅଧିକାରୀଙ୍କୁ ତୁରନ୍ତ ନୂତନ ପଦରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି।