ଆଇପିଏଲ-୨୦୨୬ : ରାଜସ୍ଥାନ ବିପକ୍ଷରେ ଗୁଜରାଟର ଦମଦାର ବିଜୟ

ନୂଆଦିଲ୍ଲୀ, ୧୦/୦୫ : ରାଜସ୍ଥାନ ବିପକ୍ଷରେ ଗୁଜରାଟର ଦମଦାର ବିଜୟ । ପ୍ଲେ ଅଫର ନିକଟତର ଗିଲ୍ ବାହିନୀ । ଓପନରଙ୍କ ଦମଦାର ବ୍ୟାଟିଂ ପରେ ରଶିଦ ଖାନଙ୍କ ଶାଣିତ ବୋଲିଂ। ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ୭୭ ରନରେ ହରାଇଛି । ଲଗାତାର ଚତୁର୍ଥ ଏବଂ ସପ୍ତମ ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠି ପ୍ଲେ ଅଫର ନିକଟତର ହୋଇଛି। ଅନ୍ୟପଟେ ରାଜସ୍ଥାନ ଜୟପୁରରେ ନିଜର ଘରୋଇ ମାଟିରେ ମ୍ୟାଚ୍ ହାରି ପଞ୍ଚମ ସ୍ଥାନକୁ ଖସି ଆସିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଶୁଭମନ ଗିଲଙ୍କ ୮୪ ରନ ଓ ସାଇ ସୁଦର୍ଶନଙ୍କ ୫୫ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୨୯ ରନର ବିଶାଳ ସ୍କୋର କରିଥିଲା । ଜବାବରେ ରାଜସ୍ଥାନ ୧୬.୩ ଓଭରରେ ୧୫୨ ରନରେ ଅଲଆଉଟ୍ ହୋଇଛି। କୌଣସି ବ୍ୟାଟର ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବୋଲିଂରେ ଗୁଜରାଟ ପକ୍ଷରୁ ରଶିଦ ଖାନ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ୨୩୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ବୈଭବ ସୂର୍ଯ୍ୟବଂଶୀଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା । ସୂର୍ଯ୍ୟବଂଶୀ ମାତ୍ର ୧୬ ବଲରୁ ୩୬ ରନ କରିଥିଲେ । ଯଶସ୍ଵୀ ଜୟସ୍ଵାଲ ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ ।