ବଙ୍ଗୋପସାଗରରେ ଘନଉଛି ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ହେବ ଘନୀଭୂତ

ଭୁବନେଶ୍ବର, ୧୨/୦୫ : ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଉତ୍ତର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଅଧିକ ଘନୀଭୂତ ହେବ। ତେବେ ବାତ୍ୟାର ରୂପ ନେବାର ସମ୍ଭାବନା କ୍ଷୀଣ। ସିଷ୍ଟମ ଅଧିକ ଘନୀଭୂତ ହେବା ନେଇ ECMWF, NCUM, GFS ମଡେଲର ଆକଳନ କରିନାହାନ୍ତି । ତେବେ ଆଇଏମଏଡିର ଜିଏଫସ ମଡେଲର ଆକଳନ ଅନୁସାରେ, ଲଘୁଚାପ ଘନୀଭୂତ ହୋଇ ୧୭ ତାରିଖ ବେଳକୁ ଅବପାତର ରୂପ ନେଇପାରେ । ଏହା ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରିବ । ଏହି ସିଷ୍ଟମ୍ ପ୍ରଭାବରେ ଆଗାମୀ ଦିନରେ ବର୍ଷା ଓ ପବନର ପରିମାଣ ବଢ଼ିପାରେ । ଓଡ଼ିଶା ଉପରେ ଏହାର କୌଣସି ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ସହିତ ବଜ୍ରପାତର ଆକଳନ କରାଯାଇଛି । ଆସନ୍ତା ୨ଦିନରେ ସର୍ବୋଚ୍ଚ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ ।