ଭୁବନେଶ୍ବର, ୧୫/୦୫ : ଓଡ଼ିଶାକୁ ମିଳିବ ୫ଟି ଜାତୀୟ ପଞ୍ଚାୟତ ପୁରସ୍କାର। କୋରାପୁଟ ଜିଲା ପରିଷଦ ସର୍ବୋତ୍ତମ ଜିଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ଓଡ଼ିଶା ପାଞ୍ଚଟି ଜାତୀୟ ପୁରସ୍କାର ପାଇବା ଲାଗି ମେନାନୀତ ହୋଇଛି। ଆସନ୍ତା ଜୁନ ୩ରେ ନୂଆଦିଲ୍ଲୀରେ ଏହିି ପୁରସ୍କାର ଦିଆଯିବ। ଓଡ଼ିଶା ସୁସ୍ଥ ପଞ୍ଚାୟତ, ଜଳ ସ୍ବଚ୍ଛଳ ପଞ୍ଚାୟତ, ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଏବଂ ସାମାଜିକ ଭାବେ ନ୍ୟାୟପୂର୍ଣ୍ଣ ଏବଂ ସୁରକ୍ଷିତ ପଞ୍ଚାୟତ ବର୍ଗରେ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନେର କୋରାପୁଟ ଜିଲା ପରିଷଦ ସର୍ବୋତ୍ତମ ଜିଲା ପଞ୍ଚାୟତ ପୁରସ୍କାର ପାଇବ।କେନ୍ଦୁଝର ଜିଲା ପଡ଼ୁଆ ପଞ୍ଚାୟତ ଜଳ ସ୍ବଚ୍ଛଳ ପଞ୍ଚାୟତ ବର୍ଗରେ ତୃତୀୟ ସ୍ଥାନରେ ରହି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛି। ସୁନ୍ଦରଗଡ଼ ଜିଲାର ହାତୀବନ୍ଧ ପଞ୍ଚାୟତ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରସ୍କାର ବାବଦରେ ୩୭ ଲକ୍ଷ ୫୦ ହଜାର ଟଙ୍କା ପାଇବ। ଗଞ୍ଜାମ ଜିଲାର ମନ୍ଦାର ପଞ୍ଚାୟତ ସାମାଜିକ ଭାବେ ନ୍ୟାୟପୂର୍ଣ୍ଣ ଓ ସୁରକ୍ଷିତ ପଞ୍ଚାୟତ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହିି ପଞ୍ଚାୟତକୁ ୩୭ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ମିଳିବ। କୋରାପୁଟ ଜିଲା ପରିଷଦ ସର୍ବୋତ୍ତମ ଜିଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ୫ କୋଟି ଟଙ୍କାର ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି।