ଭାଇ ଭାଇ ମଧ୍ୟରେ ବିବାଦ ପାଇଁ ୧୦ ଘଣ୍ଟା ଧରି ପଡ଼ି ରହିଲା ମା’ର ଶବ : ପୁଲିସ ଓ ସାମ୍ବାଦିକଙ୍କ ସହାୟତାରେ ହେଲା ଶବ ସତ୍କାର

ନୂଆଦିଲ୍ଲୀ, ୨୮/୦୫ : ଭାଇ ଭାଇ ମଧ୍ୟରେ ବିବାଦ ପାଇଁ ଦୀର୍ଘ ୧୦ ଘଣ୍ଟା ଧରି ପଡ଼ି ରହିଲା ମା’ର ଶବ। ଆଉ ପୁଲିସ ଓ ସାମ୍ବାଦିକଙ୍କ ସହାୟତାରେ ହେଲା ଶବ ସତ୍କାର। ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସ ଶବକୁ କାନ୍ଧ ଦେବା ପରେ ସୁବର୍ଣ୍ଣରେଖା ନଦୀ ଘାଟରେ ସ୍ଥାନୀୟ ସାମ୍ବାଦିକ ସତ୍କାର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା, ବସ୍ତା ଥାନା ଅଧୀନ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଲୋକନାଥପୁର ଗାଁରେ। ସୂଚନା ଅନୁସାରେ; ସ୍ବର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସ(୮୦)ଙ୍କର ତିନି ପୁଅ ଅଛନ୍ତି। ବଡ଼ପୁଅ ନିଖୋଜ ଥିବାବେଳେ ତୁଳସୀ ସାନପୁଅ ନିକଟରେ ରହୁଥିଲେ। ମଙ୍ଗଳବାର ସକାଳ ୧୦ଟା ୨୫ରେ ତୁଳସୀଙ୍କ ମୃତ୍ୟୁ ହୋଇଥିଲା। ଶବ ସତ୍କାର ନେଇ ମଝିଆଁ ଓ ସାନ ପୁଅ ମଧ୍ୟରେ ବିବାଦ ଯୋଗୁ ରାତି ୮ଟା ଯାଏଁ ଶବ ପଡ଼ିରହିଥିଲା। ଖବର ପାଇ ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର କିଛି ଫଳ ମିଳି ନ ଥିଲା। ତେଣୁ ଫାଣ୍ଡି ଅଧିକାରୀ ଶ୍ରୀ ବାରିକ, ଏଏସଆଇ ଲକ୍ଷ୍ମୀଧର ବିନ୍ଧାଣୀ, ହାବିଲଦାର ବିଷ୍ଣୁପ୍ରସାଦ ଦେଉରୀ, କନଷ୍ଟେବଳ ରାମଚନ୍ଦ୍ର ହେମ୍ବ୍ରମ, ସିପାହୀ ଠାକୁର ମାଝୀ, ଜଗଲ ମୁର୍ମୁ ଶବକୁ ଘରଠାରୁ ୨ କିମି ଦୂର ସୁବର୍ଣ୍ଣରେଖା ନଦୀଘାଟକୁ ନେଇଥିଲେ। ସାମ୍ବାଦିକ ଦୀନବନ୍ଧୁ ପ୍ରଧାନ, ଅଜିତ କୁମାର ସାହୁ, ରବିନାରାୟଣ ଶତପଥୀ ଓ କିଛି ସମ୍ପର୍କୀୟଙ୍କ ସହାୟତାରେ ଶବ ସତ୍କାର କରିଥିଲେ। ଏହି ଘଟଣା ପାଇଁ ଲୋକେ ଦୁଇ ଭାଇଙ୍କୁ ଧିକ୍କାର କରିଥିବାବେଳେ ପୁଲିସ ଓ ସାମ୍ବାଦିକଙ୍କ ଏଭଳି ସେବା କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।