ଭୁବନେଶ୍ୱର, ୨୮/୦୫ : ଓଡ଼ିଶାରେ ସରକାରୀ ପରିବହନ ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ, ତହସିଲ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ଏଣିକି ଇଲେକ୍ଟ୍ରିକ୍ ଭେହିକଲ୍ (ଇଭି) ବ୍ୟବହାରକୁ ପ୍ରାଥମିକତା ଦିଆଯିବ। ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ନିଆଯାଉଥିବା ନୂଆ ଡିଜେଲ ଓ ପେଟ୍ରୋଲ ଚାଳିତ ଗାଡ଼ି ଆଉ ବ୍ୟବହାର ହେବ ନାହିଁ। ଏହା ପରିବର୍ତ୍ତେ ଇଭି ଗାଡ଼ି ହେବ ସରକାରଙ୍କ ନୂଆ ପସନ୍ଦ।
ଓଡ଼ିଶା ଏବେ ଗ୍ରୀନ୍ ମୋବିଲିଟି ଦିଗରେ ଦୃଢ଼ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଗ୍ରୀନ୍ ଗଭର୍ଣ୍ଣାନ୍ସ ଭିଜନ୍କୁ ଆଗକୁ ନେଇ ରାଜ୍ୟ ପରିବହନ ବିଭାଗ ଏହି ଦିଗରେ ଠୋସ୍ ପଦକ୍ଷେପ ନେଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରାଯାଇଛି। କମିଟି ୨୪ ପ୍ରକାରର ଇଭି ଗାଡ଼ି ପାଇଁ ମାସିକ ଭଡ଼ା ନିର୍ଦ୍ଧାରଣ କରି ସରକାରୀ ଅନୁମୋଦନ ମଧ୍ୟ ହାସଲ କରିଛି। ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ପ୍ରାୟ ୩,୫୦୦ ଡିଜେଲ ଓ ପେଟ୍ରୋଲ ଗାଡ଼ି ଭଡ଼ାରେ ବ୍ୟବହାର କରୁଛନ୍ତି। ଏହି ଗାଡ଼ିଗୁଡ଼ିକର ପଞ୍ଜିକରଣ ଅବଧି ଶେଷ ହେବା ପରେ ପର୍ଯ୍ୟାୟକ୍ରମେ ସେମାନଙ୍କ ସ୍ଥାନରେ ଇଭି ଗାଡ଼ି ନିୟୋଜିତ ହେବ। ଏହା ଦ୍ୱାରା ଇନ୍ଧନ ବାବଦରେ ସରକାରଙ୍କ ବ୍ୟୟ ହ୍ରାସ ପାଇବା ସହ ପରିବେଶ ପ୍ରଦୂଷଣ ମଧ୍ୟ ଅନେକାଂଶରେ କମିବ।
ବିଶେଷଜ୍ଞଙ୍କ ମତରେ, ସରକାରଙ୍କ ଏହି ପଦକ୍ଷେପ କେବଳ ଖର୍ଚ୍ଚ ବଞ୍ଚାଇବ ନୁହେଁ, ବରଂ ରାଜ୍ୟରେ ଇଭି ବଜାରକୁ ମଧ୍ୟ ନୂଆ ଗତି ଦେବ। ଟ୍ରାଭେଲ୍ସ, ଟୁର୍ ଅପରେଟର ଓ ବେସରକାରୀ ସଂସ୍ଥାମାନେ ମଧ୍ୟ ଇଭି ଆପଣାଇବାକୁ ଉତ୍ସାହିତ ହେବେ। ଗ୍ରୀନ୍ ଏନର୍ଜି ଓ ସସ୍ଥାୟୀ ପରିବହନ ଦିଗରେ ଏହା ଓଡ଼ିଶା ପାଇଁ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି।