ଭୁବନେଶ୍ୱର, ୨୮/୦୫ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ପୁଅ ବୁବୁନ ସାହୁ ଓଡ଼ିଶା ସିଭିଲ୍ ସର୍ଭିସ (OCS)-୨୦୨୪ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସେ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗୁରୁବାର ଲୋକସେବା ଭବନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁବୁନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ ବୁବୁନଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକସେବାକୁ ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ବିଶେଷ କରି ଶିଶୁ, ମହିଳା ଓ ସମାଜର ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ। ସବୁଠାରୁ ଆକର୍ଷଣୀୟ କଥା ହେଉଛି, ବୁବୁନ ଗତବର୍ଷ ଓଡ଼ିଶା ପୁଲିସ ସେବାରେ ମନୋନୀତ ହୋଇ ଏବେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ (DSP) ଭାବେ କାର୍ଯ୍ୟରତ ଅଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରୁ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଚାକିରି ସହ ପ୍ରସ୍ତୁତି ଜାରି ରଖି OCSରେ ଶୀର୍ଷ ସ୍ଥାନ ହାସଲ କରିବା ତାଙ୍କ ଅଦମ୍ୟ ପରିଶ୍ରମର ପ୍ରମାଣ। ମୁଖ୍ୟମନ୍ତ୍ରୀ ବୁବୁନଙ୍କ ବାପା ଭଗବାନ ସାହୁ ଓ ମା’ କୁଞ୍ଜଲତା ସାହୁଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ଜଣେ ଚାଷୀଙ୍କ ପୁଅ ଭାବେ ବୁବୁନଙ୍କ ଏହି ସଫଳତା କେବଳ ପରିବାର ପାଇଁ ନୁହେଁ, ବରଂ ହଜାର ହଜାର OCS ଆଶାୟୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି। ତାଙ୍କ ଏହି କାହାଣୀ ପ୍ରମାଣ କରିଛି ସ୍ୱପ୍ନ ଦେଖିବା ସହ ସେଥିପାଇଁ ନିରନ୍ତର ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ।