ଭୁବନେଶ୍ୱର, ୦୬/୦୬ : ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା। ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଦିନ ୨ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ସେଲସିୟସ୍ ଛୁଇଁଥିବା ବେଳେ ଆର୍ଦ୍ରତା ୩୮ ପ୍ରତିଶତ ରହିଥିଲା। ଫଳରେ ପ୍ରକୃତ ତାପମାତ୍ରାଠାରୁ ଅଧିକ ଗରମ ଅନୁଭବ ହୋଇଥିଲା, ଏପରି ଲାଗୁଥିଲା ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଥିଲା ଭଳିଆ। ଦିନ ବଢ଼ିବା ସହ ତାତି ଏପରି ବଢ଼ିଥିଲା ଯେ ଅପରାହ୍ନରେ ରାଜଧାନୀର ପ୍ରମୁଖ ରାସ୍ତାଘାଟ ପ୍ରାୟ ଜନଶୂନ୍ୟ ହୋଇଯାଇଥିଲା। ଲୋକମାନେ ଘରୁ ବାହାରିବାକୁ ଏଡ଼ାଇଥିବା ବେଳେ ଗରମ ଓ ଗୁଳୁଗୁଳି ଯୋଗୁଁ ଅନେକେ ଅସ୍ୱସ୍ଥତା ଅନୁଭବ କରିଥିଲେ। ଡିହାଇଡ୍ରେସନ୍ ଓ ହିଟ୍-ଷ୍ଟ୍ରୋକ୍ ଭୟ ବଢ଼ିଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଚୁର ପାଣି ପିଇବା ସହ ଦିନ ୧୨ଟାରୁ ୪ଟା ମଧ୍ୟରେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି।
ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଗରମ ସହ କାଳବୈଶାଖୀ ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ସମେତ ଅନ୍ୟାନ୍ୟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।ଅନ୍ୟପଟେ ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗିରରେ ଉଷ୍ମ ରାତିର ସ୍ଥିତି ଜାରି ରହିବାକୁ ଥିବା ବେଳେ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଆଗାମୀ କିଛି ଦିନ ଯାଏଁ ଗରମ ଓ ଗୁଳୁଗୁଳି ଲୋକଙ୍କୁ କଲବଲ କରିବ ବୋଲି IMD ସୂଚନା ଦେଇଛି।