ନୂଆଦିଲ୍ଲୀ, ୦୬/୦୬ : ରୋମାନିଆ ବିଶ୍ୱ ଥିଏଟର ଫେଷ୍ଟିଭାଲରେ ସାନ୍ତାଳୀ ଭାଷାରେ ସେକସପିୟର ନାଟକ ମଞ୍ଚସ୍ଥ କରି ଭାରତ ଫେରିଲେ କିସ୍ ଓ କିଟ୍ ଛାତ୍ରଛାତ୍ରୀ। ରୋମାନିଆରେ ଅନୁଷ୍ଠିତ ‘ବିଶ୍ୱ ସେକସପିଅର ଥିଏଟର ଫେଷ୍ଟିଭାଲ ୨୦୨୬’ରେ ସେକସପିଅର ନାଟକ ମଞ୍ଚସ୍ଥ କରି ଇତିହାସ ରଚିବା ପରେ କିସ୍ ଓ କିଟ୍ର ଛାତ୍ରଛାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ନୂଆଦିଲ୍ଲୀରେ ପହଞ୍ଚିବା ପରେ କିଟ୍ ଓ କିସ୍ ପକ୍ଷରୁ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରୋମାନିଆରେ ଅନୁଷ୍ଠିତ ‘ବିଶ୍ୱ ଶେକ୍ସପିୟର ଥିଏଟର ଫେଷ୍ଟିଭାଲ ୨୦୨୬’ରେ ସେକସପିଅର ନାଟକ ମଞ୍ଚସ୍ଥ କରି ଇତିହାସ ରଚିଛନ୍ତି କିସ୍ ଓ କିଟ୍ ର ଛାତ୍ରଛାତ୍ରୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ କିସ ଓ କିଟର ୨୦ ଜଣ ଛାତ୍ରଛାତ୍ରୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କିସ୍ର ୧୦ ଜଣ ଓ କିଟ୍ର ୧୦ ଜଣ ଛାତ୍ରଛାତ୍ରୀ ଏହି ନାଟକ ମହୋତ୍ସବରେ ଅଂଶ ଗ୍ରହଣ କରିବାକୁ ଦୀର୍ଘ ଦୁଇମାସ ଧରି ରୋମାନିଆ କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ରହୁଥିଲେ । ଆଜି ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇକମିଶନର ଓ ଦିଲ୍ଲୀର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ କିସ୍ ଛାତ୍ରଛାତ୍ରୀ ସାନ୍ତାଳି ଭାଷାରେ ଏହି ନାଟକ ପୁନର୍ବାର ପରିବେଷଣ କରି ବେଶ ପ୍ରଶଂସା ସାଉଁଟିଥିଲେ । ବିଦେଶରେ ପ୍ରଥମ ଥର ପାଇଁ ଯେ କିସ୍ ଓ କିଟ୍ ଛାତ୍ରଛାତ୍ରୀମାନେ ସାନ୍ତାଳୀ ଭାଷାରେ ନାଟକ ପରିବେଷଣ କରି ଇତିହାସ ସୃଷ୍ଟି କରିଛନ୍ତି ।
ରୋମାନିଆରେ ଆୟୋଜିତ ବିଶ୍ୱ ସେକସପିୟର ନାଟ୍ୟ ମହୋତ୍ସବରେ ବିଶ୍ୱର ୭୧ଟି ବିଶ୍ୱବିଦ୍ୟାଳୟରୁ ୩ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କିସ୍ ଛାତ୍ରଛାତ୍ରୀମାନେ ଓଡ଼ିଶା ଜନଜାତି ସାନ୍ତାଳି ଭାଷାରେ ବିଖ୍ୟାତ ନାଟ୍ୟକାର ସେକସପିଅରଙ୍କ ରୋମିଓ ଆଣ୍ଡ ଜୁଲିଏଟ୍, ହାମ୍ଲେଟ ଓ ମାକ୍ବେଥ ଆଦି ନାଟକ ରୋମାନିଆର ବିଭିନ୍ନ ସହରରେ ପରିବେଷଣ କରି ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ସେମାନେ ରୋମାନିଆରେ ପ୍ରାୟ ଦୁଇମାସ ଧରି ଅଭ୍ୟାସ ଜାରି ରଖିବା ସହ ନାଟକ ପରିବେଷଣ କରୁଥିଲେ । ସେଠାରେ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସବୁଠାରୁ ଅଧିକ ପ୍ରଶଂସନୀୟ ହୋଇଥିଲା । ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, ପୂର୍ବରୁ କିସ୍ ଛାତ୍ରଛାତ୍ରୀ ମୁଖ୍ୟତଃ କ୍ରୀଡାରେ ଅଂଶଗ୍ରହଣ କରିବା ପାଇଁ ବିଦେଶ ଯାତ୍ରା କରିଥିଲେ; କିନ୍ତୁ ଏଥର ସେମାନେ ଜନଜାତି ନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ୟୁରୋପୀୟ ରାଷ୍ଟ୍ର ରୋମାନିଆ ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ ଟି ବିଭିନ୍ନ ଦେଶରୁ ୧୫୦ ରୁ ଅଧିକ ଛାତ୍ର ଅଂଶଗ୍ରହଣ କରିଥିଲେ । କିସ୍ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସବୁଠାରୁ ଅଧିକ ପ୍ରଶଂସିତ ହୋଇଥିଲା ଡ. ସାମନ୍ତ ସୂଚନା ଦେଇଛନ୍ତି । ସାନ୍ତାଳୀ ‘ଓଲ୍ ଚିକି\’ ଲିପିର ଚାଲିଥିବା ଶତବାର୍ଷିକୀ ପାଳନ ଅବସରରେ ଏହି ମହୋତ୍ସବ ଆୟୋଜିତ ହେଉଥିବାରୁ ଏହି ସଫଳତା କିସ୍ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ସାନ୍ତାଳି ଜନଜାତି ଭାଷା ପ୍ରଥମ ଥର ପାଇଁ ସେକ୍ସପିଅର ନାଟକ ମାଧ୍ୟମରେ ବିଶ୍ୱ ମଞ୍ଚରେ ଏକ ସ୍ଥାନ ପାଇପାରିଛି ବୋଲି ଡ. ସାମନ୍ତ କହିଛନ୍ତି । ଏହି ସଫଳତା କିସ୍, କିଟ୍ ଓ ସମଗ୍ର ଓଡ଼ିଶା ଓ ସମଗ୍ର ଦେଶ ପାଇଁ ଗୌରବ ଆଣିଛି ବୋଲି ସେ କହିଛନ୍ତି ।