ଭୁବନେଶ୍ୱର, ୦୭/୦୬ : ବାଲିଅନ୍ତାର ଚର୍ଚ୍ଚିତ ଘଟଣା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏଡିଜି ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ପାଇଁ ଅଡ଼ୁଆ ବଢ଼ିଛି । ସୌମ୍ୟାଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ କରିବାକୁ ରେଳ ଓ ତଟ ସୁରକ୍ଷା ବିଭାଗକୁ ଚିଠି ଲେଖିଛି । ସୋମ୍ୟଙ୍କ ମାଆ ଆଣିଥିବା ଅଭିଯୋଗ ଅନୁସାରେ କ୍ରାଇମ ବ୍ରାଞ୍ଚ ଏହି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ଜଣେ ବରିଷ୍ଠ ଆଇପିଏସ୍ ସୌମ୍ୟଙ୍କୁ ତାଙ୍କ ଘରର ବ୍ୟକ୍ତି କାମରେ ନିୟୋଜିତ କରିଥିବା ସେ କହିଥିଲେ । ଏପରିକି ତାଙ୍କ ଜିମ୍ ମଧ୍ୟ ସମ୍ଭାଳୁଥିଲେ । ଯେଉଁଥିପାଇଁ ସୌମ୍ୟ ବହୁତ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ମାଆ କବିତା ସ୍ୱାଇଁ କହିଥିଲେ । ସୌମ୍ୟଙ୍କ ହତ୍ୟା ପରେ ପରେ ରାଜ୍ୟରେ ବଡ଼ ଧରଣର ଆଇପିଏସ୍ ସ୍ତରରେ ପରିବର୍ତ୍ତନ କରାଯାଇଥିଲା । ଯେଉଁଥିରେ ଗଙ୍ଗୱାରଙ୍କ ନାମ ମଧ୍ୟ ସାମିଲ ଥିଲା । ଓଡ଼ିଶା ସରକାର ଦୟାଲ ଗଙ୍ଗୱାରଙ୍କୁ ବଦଳି କରି ତାଙ୍କୁ ଗୃହ ବିଭାଗରେ ଓଏସଡି ଭାବେ ନିଯୁକ୍ତ କରିଥିଲେ । ଏହି ବଦଳିକୁ ସୌମ୍ୟଙ୍କ ସହ ହୋଇଥିବା ଅନ୍ୟାୟ ସହିତ ଯୋଡ଼ା ଯାଇଥିଲା ।