ଭୁବନେଶ୍ୱର, ୧୦/୦୭ : ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଆଜି ଅନବସର ଦଶମୀ ତିଥିରେ ହେବ ମହାପ୍ରଭୁଙ୍କ ଚକା ଅପସର ନୀତି । ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ଆଜି ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ । ରାଜବୈଦ୍ୟ ମାନେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିବେ ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟ ମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି,ଗୋଖରା, ଲମ୍ବାଗୋତି,ଗମ୍ଭାରୀ,ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡା, ଲବଙ୍ଗ, ଦେଶୀ ଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହେବ । ବିଶ୍ୱାସ ରହିଛି ଦଶମୂଳ ମୋଦକ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି । ରଥ ନିର୍ମାଣକାରୀ ସେବାୟତଙ୍କ ହାତକୁ ଫୁରସତ ନାହିଁ । ରଥ ପାଇଁ ଆନୁସଙ୍ଗିକ କାଠ କାର୍ଯ୍ୟ ଶେଷ ହୋଇଛି । କେବଳ ରଥର ଉପରି ଭାଗର ଅଂଶ ଗୁଡ଼ିକ ଯୋଡାହେବା କାର୍ଯ୍ୟ ବାକି ରହିଛି । ପରମ୍ପରା ମୁତାବକ ରଥଚାଳିକୁ ଭୋଇ ସେବାୟତ ମାନେ କାଢିଛନ୍ତି । ଏଥିରୁ ବାହାରିଥିବା ବାଉଁଶରେ କଇଁଚି କରି ତିନି ରଥର ଚାରିଟି କରି ଦୁଆରବେଢ଼ା ରଥ ଉପରକୁ ଉଠାଯିବ ।