ନୂଆଦିଲ୍ଲୀ, ୧୦/୦୭ : ଦେଶର ଜିନଜିଆଙ୍ଗ୍ ସହରରେ ଥିବା ଏକ ଜୋତା ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି କାରଖାନାରେ ନିଆଁ ଲାଗିଯିବା ଯୋଗୁଁ ଅତିକମରେ ୨୮ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ କାରଖାନା ଭିତରୁ ବାହାରିବା ପାଇଁ ଶ୍ରମିକମାନଙ୍କୁ ସୁଯୋଗ ମିଳିନଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜୋତା କାରଖାନାରେ କାମ ଚାଲିଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । କାରଖାନା ଭିତରେ ରବର, ଚମଡ଼ା ଏବଂ କେମିକାଲ୍ ପରି ସହଜରେ ନିଆଁ ଧରୁଥିବା ସାମଗ୍ରୀ ପ୍ରଚୁର ପରିମାଣରେ ଥିବାରୁ, ନିଆଁ କ୍ଷଣିକ ମଧ୍ୟରେ ସାରା ବିଲଡିଂକୁ ବ୍ୟାପି ଯାଇଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ବହୁ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭିବା ପରେ ଉଦ୍ଧାରକାରୀ ଦଳ ଭିତରୁ ୨୮ ଜଣଙ୍କ ମୃତଦେହ ବାହାର କରିଥିଲେ । ଏହି ବଡ଼ ଧରଣର ଦୁର୍ଘଟଣା ପରେ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଗଭୀର ଦୁଃଖ ପ୍ରକାଶ କରିବା ସହ ତଦନ୍ତ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେ ପ୍ରଶାସନକୁ ସ୍ପଷ୍ଟ କରିଛନ୍ତି ଯେ, ଆହତମାନଙ୍କୁ ତୁରନ୍ତ ଉଚ୍ଚକୋଟୀର ଚିକିତ୍ସା ସେବା ଯୋଗାଇ ଦିଆଯାଉ । ଏହାସହ ଏହି ଅଗ୍ନିକାଣ୍ଡ ପଛର ପ୍ରକୃତ କାରଣ କଣ ଏବଂ ସେଠାରେ ସୁରକ୍ଷା ନିୟମର କିଛି ଉଲ୍ଲଂଘନ ହୋଇଥିଲା କି ନାହିଁ, ତାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି ।