ଭୁବନେଶ୍ୱର, ୨୦/୦୭ : ବଦଳି ଆଦେଶକୁ ଅଣଦେଖା କରୁଥିବା ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ଅର୍ଥ ବିଭାଗ। ବାରମ୍ବାର ନିର୍ଦ୍ଦେଶ ଓ ରିମାଇଣ୍ଡର ସତ୍ତ୍ୱେ ନୂଆ କାର୍ଯ୍ୟସ୍ଥଳରେ ଯୋଗ ନଦେଉଥିବା ଅଧିକାରୀଙ୍କୁ ଶେଷ ଚେତାବନୀ ଦିଆଯାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ସ୍ପଷ୍ଟ କରିଛି ବିଭାଗ। କିଛି ଅଧିକାରୀ ବଦଳି ଆଦେଶକୁ ମାନିବା ପରିବର୍ତ୍ତେ ବିଭିନ୍ନ ଉପାୟରେ ତାହାକୁ ବିଳମ୍ବ କରୁଛନ୍ତି। ଏପରିକି କେତେକ କ୍ଷେତ୍ରରେ ରାଜନୈତିକ ପ୍ରଭାବ ଖଟାଇ ବଦଳି ଆଦେଶକୁ ଅଟକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ଆସିଛି। ଅର୍ଥ ବିଭାଗ ପକ୍ଷରୁ ତିନିଥର ପର୍ଯ୍ୟନ୍ତ ବଦଳି ଆଦେଶ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କିଛି ଅଧିକାରୀ ତାହାକୁ ଗୁରୁତ୍ୱ ଦେଇନଥିଲେ। ଫଳରେ ବିଭାଗ ଏବେ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଅର୍ଥ ବିଭାଗର ଏହି କଡ଼ା ନିଷ୍ପତ୍ତି ପରେ ବଦଳି ଆଦେଶକୁ ନେଇ ଅବହେଳା କରୁଥିବା ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସରକାର ଏବେ ଆଉ କୌଣସି ଆପୋଷ କରିବା ମୁଡ଼ରେ ନାହାନ୍ତି।
