ନୂଆଦିଲ୍ଲୀ, ୨୪/୦୭ : ଆଜି ହିମାଚଳ ପ୍ରଦେଶରେ ଘଟିଛି ଏକ ବଡ ଅଘଟଣ। ଲାହୌଲ-ସ୍ପିତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉଦୟପୁର-କିଲାଡ ରାସ୍ତାରେ କାଡୁ ନାଲା ନିକଟରେ ହଠାତ୍ ଭୂସ୍ଖଳନ ଘଟି କୁଲୁରୁ ପାଙ୍ଗି ଯାଉଥିବା ଏକ ଟ୍ୟାକ୍ସି ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଲାହୌଲ-ସ୍ପିତିର ପୁଲିସ ଅଧିକ୍ଷକ ଶିବାନୀ ମେହଲା ଏହାକୁ ନିଶ୍ଚିତ କରିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଟିଣ୍ଡି ପୁଲିସ, ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଭୂସ୍ଖଳନ ଯୋଗୁଁଁ ଗୋଟିଏ ଦିନ ପୂର୍ବରୁ ଉଦୟପୁର-କିଲାଡ ରାସ୍ତା ବନ୍ଦ ହୋଇଯାଇଥିଲା। ଫଳସ୍ୱରୂପ, ଟ୍ୟାକ୍ସିରେ ଥିବା ସମସ୍ତ ଯାତ୍ରୀ ଟିଣ୍ଡିରେ ଫସି ରହିଥିଲେ। ଶୁକ୍ରବାର ରାସ୍ତା ପୁନରୁଦ୍ଧାର ହେବା ପରେ, ଗାଡ଼ିଟି ପାଙ୍ଗି ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ କାଡୁ ନାଲା ନିକଟରେ ହଠାତ୍ ପାହାଡ଼ର ଏକ ବଡ଼ ଅଂଶ ଧସି ଯାଇଥିଲା ଏବଂ ଟ୍ୟାକ୍ସିଟି ତା’ ତଳେ ଚାପି ହୋଇଯାଇଥିଲା।
