ଭୁବନେଶ୍ୱର, ୦୧/୦୮ : କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଣ୍ଟରନ୍ୟାସନାଲ୍ ଫୋରମ୍ସ ଅଫ୍ ଇନ୍କ୍ଲୁଜନ ପ୍ରାକ୍ଟିସନର୍ସ (ଆଇଏଫ୍ଆଇପି) ପକ୍ଷରୁ ସମ୍ମାନଜନକ ‘ଗ୍ଲୋବାଲ୍ ଭିଜନାରୀ ଆୱାର୍ଡ ଫର୍ ଇନ୍କ୍ଲୁସିଭ୍ ଏଜୁକେସନ୍’ ସମ୍ମାନ ପ୍ରଦାନ କରାଯାଇଛି । ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଆଇଏଫ୍ଆଇପି ୱାର୍ଲ୍ଡ ଇନକ୍ଲୁଜନ୍ କନ୍ଫରେନ୍ସ ଇଣ୍ଡିଆ–୨୦୨୬ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦକ୍ଷିଣ ଏସିଆର ସବୁଠାରୁ ବଡ଼ ସମାବେଶୀ ସମାଜ ଗଠନ ସମ୍ମିଳନୀ ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଅନ୍ତର୍ଭୁକ୍ତିମୂଳକ ଶିକ୍ଷା, ଜନଜାତି ସଶକ୍ତିକରଣ, ସାମାଜିକ ନବସର୍ଜନା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଅସାଧାରଣ ଓ ଯୁଗାନ୍ତକାରୀ ଅବଦାନକୁ ସ୍ୱୀକୃତି ଦେଇ ଆଇଏଫ୍ଆଇପି ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ୱବ୍ୟାପୀ ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ଗବେଷକ, ଏଡ୍ ଟେକ୍, ଉଦ୍ଭାବକମାନେ ଏକାଠି ହୋଇଥିଲେ।
ଶ୍ରୀ ସାମନ୍ତଙ୍କ ଦୂରଦର୍ଶୀ ନେତୃତ୍ୱ ଜରିଆରେ ପ୍ରତିଷ୍ଠିତ କିଟ୍ ଓ କିସ୍ ବିଶ୍ୱର ସବୁଠାରୁ ପ୍ରେରଣାଦାୟକ ଅନ୍ତର୍ଭୁକ୍ତିମୂଳକ ଓ ସାମଗ୍ରିକ ଶିକ୍ଷା ମଡେଲ୍ ମଧ୍ୟରୁ ଅନ୍ୟତମ । ଅବହେଳିତ ଜନଜାତି ସଂପ୍ରଦାୟର ଲକ୍ଷଲକ୍ଷ ଶିଶୁଙ୍କୁ ବିନାଦେୟରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ପୌଷ୍ଟିକ ଖାଦ୍ୟ, ଜୀବିକାର ସୁଯୋଗ ଓ ସମ୍ମାନଜନକ ଜୀବନ ପ୍ରଦାନ କରି ଅଚ୍ୟୁତ ସାମନ୍ତ ପ୍ରମାଣ କରିଛନ୍ତି ଯେ, ସାମାଜିକ ସମାନତା, ସଶକ୍ତିକରଣ ଏବଂ ସ୍ଥାୟୀ ସାମାଜିକ ପରିବର୍ତ୍ତନରେ ଶିକ୍ଷା ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରେ ବୋଲି ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର ପ୍ରଶସ୍ତିପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ସମ୍ମାନ ପାଇବା ପରେ ଆଇଏଫ୍ଆଇପିକୁ କୃତଜ୍ଞତା ଜଣାଇ ଡ. ସାମନ୍ତ କହିଲେ, ଆଇଏଫ୍ଆଇପି ମୋର କାର୍ଯ୍ୟକୁ ସ୍ୱୀକୃତି ଦେଇଛି, ଯାହା ୱାର୍ଲ୍ଡ ଇନକ୍ଲୁଜନ୍ କନ୍ଫରେନ୍ସ ପ୍ରୋତ୍ସାହିତ କରୁଥିବା ମୂଲ୍ୟବୋଧ ଯଥା- ସମାନତା, ସୁଗମତା, ସୁଯୋଗ ଓ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଅନ୍ତର୍ଭୁକ୍ତିର ଭାବନାକୁ ପ୍ରତିଫଳିତ କରେ । ଶ୍ରୀ ସାମନ୍ତ ଏହି ପୁରସ୍କାରକୁ କିସ୍କୁ ଉତ୍ସର୍ଗ କରିଛନ୍ତି । ଆଇଏଫ୍ଆଇପି ପକ୍ଷରୁ ପ୍ରତିବର୍ଷ ଶିକ୍ଷା, ସମାଜ, ସାବର୍ଜନୀନ ନୀତି, ନବସର୍ଜନା, ସୁଗମତା ଓ ମାନବ ବିକାଶ କ୍ଷେତ୍ରରେ ଅନ୍ତର୍ଭୁକ୍ତିକୁ ଆଗକୁ ବଢ଼ାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ଥିବା ଜାତୀୟ ତଥା ବିଶ୍ୱସ୍ତରୀୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନିତ ପ୍ରଦାନ କରାଯାଇଥାଏ । ଶିକ୍ଷା, କର୍ମକ୍ଷେତ୍ର, ସଂପ୍ରଦାୟ ଓ ସାର୍ବଜନୀନ ନୀତି କ୍ଷେତ୍ରରେ ଅନ୍ତର୍ଭୁକ୍ତି, ସୁଗମତା, ସମାନତା ଏବଂ ସମସ୍ତଙ୍କ ସହଭାଗିତାକୁ ଆଗେଇ ନେବା ପାଇଁ ସମର୍ପିତ ଭାବେ ଆଇଏଫ୍ଆଇପି ବିଶ୍ୱର ଅଗ୍ରଣୀ ସଂଗଠନ ମଧ୍ୟରୁ ଅନ୍ୟତମ । ବିଶ୍ୱର ୧୪୩ଟି ଦେଶରେ ଏହାର ଶାଖା ଥିବାବେଳେ ୧୮ ହଜାରରୁ ଅଧିକ ବିଶେଷଜ୍ଞ, ଶିକ୍ଷାବିତ୍, ଗବେଷକ, ନୀତି ନିର୍ଦ୍ଧାରକ ଓ ବିଭିନ୍ନ କ୍ଷେତ୍ରର ନେତୃତ୍ୱମାନଙ୍କର ଏକ ବିଶ୍ୱବ୍ୟାପୀ ନେଟୱାର୍କ ସହିତ ଏକ ପ୍ରମୁଖ ଅନୁପ୍ରେରକ ଭାବେ ଆଇଏଫ୍ଆଇପି କାର୍ଯ୍ୟ କରୁଛି ।
