ସରକାରୀ ଟଙ୍କା ହେରଫେର କରିବା ଅଭିଯୋଗ : ୨ ଗିରଫ

ଭୁବନେଶ୍ୱର, ୧୩/୦୮ : ସରକାରୀ ଟଙ୍କା ହେରଫେର କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଦୁଇ ଜଣ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର କରିବା ଅଭିଯୋଗରେ ତିର୍ତ୍ତୋଲ ବ୍ଲକ ପୂର୍ବତନ ଏସ୍ଆରଏ ଭଞ୍ଜ କିଶୋର ବେହେରା ଓ ତିର୍ତ୍ତୋଲ ବ୍ଲକ ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ ଗିରଫ କରିଛନ୍ତି । ୨୦୧୧-୧୨ ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଏକ ତଦନ୍ତରେ ଭିଜିଲାନ୍ସ ତିନି ଜଣଙ୍କ ବିରୁଦ୍ଧରେ ପ୍ରମାଣ ପାଇଥିଲା । ପ୍ରଦୀପ୍ତ କୁମାର ମଲ୍ଲିକ, ସ୍ୱର୍ଗତ ରାଜଦୀପ ହାଂସଦା ଓ ଭଞ୍ଜ କିଶୋର ବେହେରା ଏହି ଠକେଇରେ ସାମିଲ ଅଛନ୍ତି । ଏହି ତିନି ଅଭିଯୁକ୍ତ ଅଧିକାରୀ ସରକାରୀ ଦରମା ରେଜିଷ୍ଟର ଏବଂ ବଣ୍ଟନ ଡକ୍ୟୁମେଣ୍ଟଗୁଡ଼ିକୁ ଜାଲିଆତି ଏବଂ ହେରଫେର କରି ଅର୍ଥ ହେରଫେର କରିଥିବା ଜଣାପଡିଛି । ମଞ୍ଜୁର ବଜେଟ୍ ଆବଣ୍ଟନଠାରୁ ଅଧିକ ପରିମାଣର ବୃଦ୍ଧି କରି ଏବଂ ଜାଲିଆତି ଦରମା ବିଲ୍ ପ୍ରସ୍ତୁତ କରି ଦାଖଲ କରିଥିଲେ । ଆତ୍ମସାତ ହୋଇଥିବା ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟକ୍ତିଗତ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ । ମୋଟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା ହେରଫେର କରିଛନ୍ତି । ଭିଜିଲାନ୍ସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।