ଭୁବନେଶ୍ୱର, ୧୩/୦୮ : ଲହୁଣୀପଡ଼ା ଥାନା ଅଞ୍ଚଳର ଏକ ଚାଞ୍ଚଲ୍ୟକର ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଜ୍ଞାନରଞ୍ଜନ ପଟ୍ଟନାୟକ ଏହି ରାୟ ଶୁଣାଇଛନ୍ତି। କାରାଦଣ୍ଡ ସହିତ ତିନି ଜଣ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି। ସେମାନେ ଜୋରିମାନା ନ ଦେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ବୋଲି କୁହାଯାଇଛି। ଅନ୍ୟ ପକ୍ଷରେ ଜିଲା ଆଇନ ସେବା ପ୍ରାଧିକରଣ ବଳାତ୍କାର ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୪ ଜାନୁଆରୀ ୧୧ ତାରିଖ ସନ୍ଧ୍ୟାରେ ନାବାଳିକା ନିଜ ପୁରୁଷ ବନ୍ଧୁଙ୍କୁ ଭେଟିବା ପାଇଁ ଗାଁ ମୁଣ୍ଡ ବିଦ୍ୟାଳୟ ପାଖକୁ ଯାଇଥିଲେ। ସେତେବେଳେ ସେଠାରେ ତାଙ୍କ ପୁରୁଷ ବନ୍ଧୁ ସହ ଅନ୍ୟ ଜଣେ ଯୁବକ କଥା ହେଉଥିଲେ। ସେହି ସମୟରେ ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ଦେବଙ୍ଗ ଓରଫ ଜାକରିଆସ ଖାଲଖୋ(୨୫) ଆଉ ଜଣେ ବ୍ୟକ୍ତି ଏକ ସ୍କୁଟରରେ ସେଠାକୁ ଆସିବାରୁ ନାବାଳିକାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସହ କଥା ହେଉଥିବା ଯୁବକ ସାଇକଲରେ ସେଠାରୁ ଚାଲି ଯାଇଥିଲେ। ସଂପର୍କୀୟ ମାମୁଁ ଓ ଅନ୍ୟ ଜଣକ ନାବାଳିକାଙ୍କୁ ଘରେ ଛାଡ଼ି ଦେବା ପାଇଁ ସ୍କୁଟରରେ ବସାଇ ନେଇ ଯାଇଥିଲେ। କିନ୍ତୁ ସେମାନେ ଘରକୁ ନ ଯାଇ ଅନ୍ୟ ଆଡ଼କୁ ଯାଉଥିବା ଦେଖି ନାବାଳିକା ଭୟରେ ସ୍କୁଟରରୁ ଡେଇଁ ପଳାଇବାକୁ ଚେଷ୍ଟା କରିଥିଲେ। ନାବାଳିକାର ବାପା ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲା। ଲହୁଣୀପଡ଼ା ପୁଲିସ ଦେବଙ୍ଗ ଓରଫ ଜାକରିଆସ ଖାଲଖୋ(୨୫), ହେମନ୍ତ ଓରଫ ରାଜକୁମାର ପାତ୍ର (୨୩), କାଳନ୍ଦୀ ପାତ୍ର(୪୫), ଫଟୋ ଓରଫ ପ୍ରଶାନ୍ତ କୁମାର ପାତ୍ର(୨୪) ଓ ଯଦୁମଣି ପାତ୍ର(୪୮) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତ ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଦେବଙ୍ଗ, କାଳନ୍ଦୀ ଓ ରାଜକୁମାରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ଯଦୁମଣି ପାତ୍ର ବିଚାରାଧୀନ କଏଦୀ ଭାବରେ ପ୍ରାଣ ହରାଇଛନ୍ତି। ପ୍ରଶାନ୍ତ ପାତ୍ର ଓରଫ ଫଟୋକୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରାଯାଇଛି। ପୀଡ଼ିତାଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ପ୍ରଭାତ କୁମାର ନନ୍ଦ ଏହି ମାମଲା ପରିଚାଳନା କରିଥିଲେ।