ଭୁବନେଶ୍ୱର, ୧୩/୦୮ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବନକଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ନୀତି ସମ୍ପାଦନ ସମୟରେ ଶ୍ରୀବିଗ୍ରହଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅର୍ଥାତ୍ ପ୍ରାୟ ୪ ଘଣ୍ଟା ଧରି ଭକ୍ତମାନେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନରୁ ବଞ୍ଚିତ ହେବେ।
ବନକଲାଗି ହେଉଛି ମହାପ୍ରଭୁଙ୍କ ଏକ ପ୍ରମୁଖ ଗୁପ୍ତ ସେବା ନୀତି। ଏହି ସମୟରେ ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି। ପରମ୍ପରା ଅନୁଯାୟୀ, ଦ୍ୱିପ୍ରହର ଧୂପ ଶେଷ ହେବା ପରେ ମନ୍ଦିରର ଦ୍ୱାର ବନ୍ଦ କରାଯାଇ ଏହି ଗୁପ୍ତ ନୀତି ସମ୍ପନ୍ନ ହୁଏ। ବନକଲାଗି ନୀତି ସମୟରେ ଜୟ-ବିଜୟ ଦ୍ୱାର ସମେତ ଆବଶ୍ୟକୀୟ ଦ୍ୱାର ବନ୍ଦ ରହିଥାଏ। ବନକଲାଗି ପାଇଁ ଦତ୍ତମହାପାତ୍ର ସେବକମାନେ ପାରମ୍ପରିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ଓ ପ୍ରସାଧନ ବ୍ୟବହାର କରନ୍ତି। ହିଙ୍ଗୁଳ, ହରିତାଳ, କସ୍ତୁରୀ ସହ ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରି ଶ୍ରୀବିଗ୍ରହଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଏ।
‘ବନକ’ ଅର୍ଥ ରଙ୍ଗ ଓ ପ୍ରସାଧନରେ ଶ୍ରୀମୁଖର ଶୃଙ୍ଗାର। ତେଣୁ ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳର ଏହି ସ୍ୱତନ୍ତ୍ର ଶୃଙ୍ଗାରକୁ ଶ୍ରୀମନ୍ଦିର ଭାଷାରେ ‘ବନକଲାଗି’ କୁହାଯାଏ। ବନକଲାଗି ନୀତି ଚାଲୁଥିବା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରର ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିପାରିବେ।