ଜଳକାରେ ବଢ଼ିଲା ଜଳସ୍ତର, ଅନେକ ଗାଁରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର, ୧୪/୦୮ : ଲଗାଣ ବର୍ଷା ପରେ ବଢ଼ିଚାଲିଛି ଜଳକା ନଦୀର ଜଳସ୍ତର । ଉପରମୁଣ୍ଡରୁ ଆସୁଥିବା ପାଣି ଯୋଗୁଁ ନଦୀ ଫୁଲିବାରେ ଲାଗିଛି । ଫଳରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବସ୍ତା ବ୍ଲକ୍‌ ଦରଡା ପଞ୍ଚାୟତର ମନ୍ଦ୍ରଡା ଗାଁ ଭିତରକୁ ପଶିଛି ବନ୍ୟାଜଳ। ଗାଁର ରାସ୍ତାଘାଟ ଏବେ ପାଣିରେ ବୁଡ଼ିଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ବାଧ୍ୟ ହୋଇ ପାଣି ଭିତରେ ଯାତାୟାତ କରୁଛନ୍ତି । ଛୋଟ ପିଲା, ବୟସ୍କ ଓ ମହିଳାଙ୍କ ଯାତାୟାତ ନେଇ ବଢ଼ିଛି ଚିନ୍ତା । ଗାଁରେ ନଦୀବନ୍ଧ ନଥିବାରୁ ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ଷା ହେଲେ ଜଳକା ନଦୀର ପାଣି ବଢ଼ି ଗାଁ ଭିତରକୁ ପଶୁଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି । ଏପଟେ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ମଧ୍ୟ ପାଣି ଜମିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କୁ କେନ୍ଦ୍ରକୁ ନଆସିବାକୁ ବାରଣ କରାଯାଇଛି । ଲଗାଣ ବର୍ଷା ଲାଗି ରହିଲେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ବନ୍ୟାଜଳ ଯୋଗୁଁ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି । ଗାଁରୁ ବାହାରିବା ଓ ଗାଁ ଭିତରେ ଯାତାୟାତ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ଏଭଳି ସ୍ଥିତିରେ ତୁରନ୍ତ ଜଳ ନିଷ୍କାସନ ଏବଂ ସ୍ଥାୟୀ ଭାବେ ନଦୀବନ୍ଧ ନିର୍ମାଣ କରିବାକୁ ଦାବି ହୋଇଛି । ଜଳକାରେ ବଢ଼ୁଛି ଜଳସ୍ତର, ଆଉ ବସ୍ତାରେ ବଢ଼ୁଛି ବନ୍ୟା ଚିନ୍ତା । ମନ୍ଦ୍ରଡା ଗାଁର ରାସ୍ତାରେ ଆଣ୍ଠୁଏ ପାଣି, ଅଙ୍ଗନବାଡ଼ି ସମ୍ମୁଖରେ ଜଳବନ୍ଦୀ ସ୍ଥିତି । ଏବେ ପ୍ରଶାସନ କେବେ ପଦକ୍ଷେପ ନେଉଛି ଏବଂ ଲୋକଙ୍କୁ କେବେ ଆଶ୍ୱାସନ ମିଳୁଛି, ତାହା ଉପରେ ନଜର ।