ନୂଆଦିଲ୍ଲୀ, ୧୪/୦୮ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୀର ସାୱରକରଙ୍କ ଅପମାନ ସହ ଜଡିତ ମାମଲାରେ ସର୍ବୋଚ୍ଚ ଅଦାଲତରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଲକ୍ଷ୍ନୌର ନିମ୍ନ ଅଦାଲତ ଦ୍ୱାରା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଜାରି ହୋଇଥିବା ସମନ୍କୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର କୋର୍ଟରେ ସ୍ପଷ୍ଟ କରିଥିଲେ ଯେ ସେମାନେ ରାହୁଲଙ୍କ ବିରୁଦ୍ଧରେ ମାମଲା ଚଳାଇବା ପାଇଁ କୌଣସି ଆବଶ୍ୟକୀୟ ଆଇନଗତ ମଞ୍ଜୁରୀ ଦେଇ ନାହାନ୍ତି। ଏହି ଆଧାରରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାଟି ଲକ୍ଷ୍ନୌର ଜଣେ ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେଙ୍କ ଦ୍ୱାରା ଦାୟର କରାଯାଇଥିଲା। ଆବେଦନରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆଇପିସିର ଧାରା 153A ଏବଂ 505 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଅଭିଯୋଗ ଥିଲା ଯେ, 2022 ମସିହା ଡିସେମ୍ବର 17 ତାରିଖରେ ମହାରାଷ୍ଟ୍ରର ଆକୋଲାଠାରେ ଏକ ପ୍ରେସ୍ କନ୍ଫରେନ୍ସ ସମୟରେ ରାହୁଲ ଗାନ୍ଧୀ ବୀର ସାୱରକରଙ୍କୁ ଇଂରେଜମାନଙ୍କ ଚାକର ଏବଂ ପେନସନ୍ ନେଉଥିବା ବ୍ୟକ୍ତି ବୋଲି କହିଥିଲେ।
ଏହି ମାମଲାରେ ଲକ୍ଷ୍ନୌର ଏଡିସିଆଲ୍ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ୍ ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ରାହୁଲ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ମାତ୍ର 2025 ମସିହା ଏପ୍ରିଲ୍ 4 ତାରିଖରେ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ସମନ୍ ରଦ୍ଦ କରିବାକୁ ମନା କରିଦେଇଥିଲେ। ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ରାହୁଲଙ୍କ ବୟସ୍କୃତ ମନ୍ତବ୍ୟ ପାଇଁ କଡ଼ା ଭର୍ତ୍ସନା କରିବା ସହ ଏସିଜେଏମ୍ କୋର୍ଟର ସମନ୍ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ। ବର୍ତ୍ତମାନ ୟୁପି ସରକାରଙ୍କ ଜବାବକୁ ଆଧାର କରି ସୁପ୍ରିମକୋର୍ଟ ଏହି ସମନ୍କୁ ସମ୍ପୂର୍ଣ୍ଣ ରଦ୍ଦ କରିଦେଇଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ବିଚାରପତି ଦୀପାଙ୍କର ଦତ୍ତ ମତ ଦେଇଥିଲେ ଯେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରକୃତ ଇତିହାସ ବିଷୟରେ ରାହୁଲ ଗାନ୍ଧୀ ସଠିକ୍ ଅନୁଧ୍ୟାନ କରିବା ଉଚିତ୍। କୋର୍ଟ ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଇତିହାସରେ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଦ୍ୱାରା ମଧ୍ୟ ବ୍ରିଟିଶ୍ ଶାସନକାଳରେ ଚିଠିପତ୍ର ଆଦାନପ୍ରଦାନ କରାଯାଇଥିଲା।