ଓଡ଼ିଶା ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା

ଭୁବନେଶ୍ୱର, ୧୬/୦୮ : ଦେଶରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ପାଣିପାଗ ବିଭାଗ (IMD) ପକ୍ଷରୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ ନେଇ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ଦେଶର ୧୫ଟି ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହ ବଜ୍ରପାତ ହେବାର ଚେତାବନୀ ଦିଆଯାଇଛି। ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ସର୍ବାଧିକ ବଜ୍ରପାତ ସମ୍ଭାବନା ଥିବା ବେଳେ କେତେକ ଅଞ୍ଚଳରେ ଶିଳାବୃଷ୍ଟି ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଉପର-ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସହିତ ଦକ୍ଷିଣ-ପଶ୍ଚିମ ରାଜସ୍ଥାନରେ ମଧ୍ୟ ଅନ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ପାଣିପାଗରେ ଏହିପରି ବିପୁଳ ପରିବର୍ତ୍ତନ ଦେଖାଦେଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ପବନ ବହିବା ସହ ମୁଷଳଧାରାରେ ବର୍ଷା ହୋଇପାରେ। ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ରହିବାର ପୂର୍ବାନୁମାନ କରାଯାଇଛି।