ରାଜ୍ୟରେ ଆହୁରି ବଢ଼ିବ ବର୍ଷାର ପ୍ରକୋପ, ସତର୍କ କଲା IMD

ଭୁବନେଶ୍ବର, ୧୬/୦୮ : ଓଡ଼ିଶାରେ ଆହୁରି ବଢ଼ିବ ବର୍ଷାର ପ୍ରକୋପ। ୧୮ ଯାଏଁ ସମୁଦ୍ର ମନା । ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାକୁ ଥିବାବେଳେ ଆସନ୍ତାକାଲି ଉତ୍ତର ଓଡ଼ିଶାରେ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ମୟୂରଭଞ୍ଜ ଓ ବାଲେଶ୍ୱରରେ ୨୦ ସେମିରୁ ଅଧିକ ବର୍ଷା ଆଶଙ୍କା କରି ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଏହାସହ ବଜ୍ରପାତ, ଝଟକା ପବନ ଓ ଅଶାନ୍ତ ସମୁଦ୍ରକୁ ନେଇ ମଧ୍ୟ ସତର୍କ କରାଯାଇଛି। ଆଜି ମୟୂରଭଞ୍ଜ-କେନ୍ଦୁଝରରେ ଅଧିକ ବର୍ଷା । ଆଜି ସକାଳ ସାଢ଼େ ୮ଟାରୁ ସୋମବାର ସକାଳ ସାଢ଼େ ୮ଟା ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ୧୨ରୁ ୨୦ ସେମି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ମଙ୍ଗଳବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଆହୁରି ବଢ଼ିବ। ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ୨୦ ସେମିରୁ ଅଧିକ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲାକୁ IMD ରେଡ୍ ୱାର୍ଣ୍ଣିଂରେ ରଖିଛି।

କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ାରେ ୧୨ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ପାଇଁ ପ୍ରବଳ ବର୍ଷାର ୟେଲୋ ୱାର୍ଣ୍ଣିଂ ରହିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଖରାପ ପାଗ ଯୋଗୁଁ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିପାରେ। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାକୁ ଦୃଷ୍ଟିରେ ରଖି ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।