ନୂଆଦିଲ୍ଲୀ, ୨୧/୦୮ : ହୋମୱାର୍କ କରି ନ ଥିବାରୁ ୬ ବର୍ଷର ଶିଶୁକୁ ଶକ୍ତ ଚାପୁଡ଼ା ମାରିଥିଲେ ଶିକ୍ଷୟିତ୍ରୀ। ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲା ଛାତ୍ର। ଆନ୍ଧ୍ରପ୍ରଦେଶର ଭାଇଜାଗ ସ୍ଥିତ କୋଥାରୋଡ୍ ଟାଉନର ଏକ ଘରୋଇ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଶିଶୁ ଜଣକ ୬ ବର୍ଷୀୟ ପ୍ରଣୟ ତେଜ ଓ ଘରୋଇ ଲିଟିଲ୍ ଗାର୍ଡେନ୍ ସ୍କୁଲର ଛାତ୍ର ଥିଲା। ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ତେବେ ପୋଲିସ ସୂଚନା ଅନୁଯାୟୀ, ପିଲାମାନଙ୍କୁ ଶିକ୍ଷୟିତ୍ରୀ ଜଣକ ହୋମ୍ ୱାର୍କ ଦେଇଥିଲେ। ପିଲାମାନେ ଧାଡ଼ିରେ ଠିଆ ହୋଇ ଶିକ୍ଷୟିତ୍ରୀଙ୍କୁ ହୋମୱାର୍କ ଦେଖାଉଥିଲେ। ଏହି ସମୟରେ ପ୍ରଣୟ ପାଳି ଆସିବା ପରେ ସେ ହୋମୱାର୍କ କରି ନ ଥିବାରୁ ତାଗିଦ କରିଥିଲେ ଶିକ୍ଷୟିତ୍ରୀ।ପ୍ରଣୟକୁ ନାଲି ଆଖି ଦେଖାଇ ଧମକ ଚମକ ଦେବା ସହ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲା ପ୍ରଣୟ। ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ କେଜି ହସ୍ପିଟାଲରେ ଭର୍ତ୍ତି କରାଯାଇଲା। ହେଲେ ଡାକ୍ତର ସେଠାରେ ପ୍ରଣୟକୁ ମୃତ ଘୋଷଣା କରିଥିଲେ। ସେପଟେ ପ୍ରଣୟର ମୃତ୍ୟୁ ନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଦୋଷାରୋପ କରିଛନ୍ତି ଅଭିଭାବକ। ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ସ୍କୁଲ୍ ପରିଚାଳନା କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ। ଏହାସହ ସ୍କୁଲ୍ ଫାଟକ ଆଗରେ ଅଭିଭାବକମାନେ ଧାରଣା ଦେଇଛନ୍ତି। ଅପରପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।