ମହାନଙ୍ଗଳା ଉପ୍ରା ବିଦ୍ୟାଳୟ ରେ ବିଗିଡି ଗଲାଣି ଶୈକ୍ଷିକ ବାତାବରଣ ସୁଧାର ପାଇଁ ଦାବି

ମହାକାଳପଡ଼ା, ୨୧/୦୮ : ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ମହାନଙ୍ଗଳା ସରକାରୀ ଉ.ପ୍ରା ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବିଗୁଡୁଛି। ବିଦ୍ୟାଳୟର ଶୈକ୍ଷିକ ଦୁର୍ଦଶା ସ୍ଥାନୀୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି। ବିଦ୍ୟାଳୟ ପରିସରରେ କୌଣସି ବାଉଣ୍ଡାରୀ ୱାଲ ନଥିବାରୁ ଗୋରୁ, ଗାଈ ଓ ବାହାର ଲୋକଙ୍କର ଅବାଧ ପ୍ରବେଶ ଲାଗି ରହିଛି। ଫଳରେ ପାଠପଢ଼ା ସମୟରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଛି।ବିଦ୍ୟାଳୟର ପୁରୁଣା ଆଜବେଷ୍ଟସ ଶ୍ରେଣୀକକ୍ଷ ଗୁଡିକ ର କାନ୍ଥ ଫାଟି ଅଧାପନ୍ତାରିଆ ଅବସ୍ଥାରେ ପଡିଛି। ବର୍ଷା ହେଲେ ଆଜବେଷ୍ଟସ ରେ ପାଣି ପଡୁଥିବାରୁ ଛାତ୍ରଛାତ୍ରୀ ବାତ୍ୟା ଆଶ୍ରୟ ସ୍ଥଳୀ ରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ସେପଟେ ଗୋଟିଏ ଘର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲେ ବି ଅନ୍ୟ ଗୋଟିକ ଅଧାପନ୍ତାରିଆ ହୋଇପଡିଛି l ଦୁଃଖର କଥା ରୋଷେଇଘର ଅଭାବରୁ ପରିତ୍ୟକ୍ତ ଭଙ୍ଗା ଆଜବେଷ୍ଟସ ଘରେ ଛାତ୍ର /ଛାତ୍ରୀ ଙ୍କ ନିମନ୍ତେ ରୋଷେଇ ଚାଲିଛି l ବିଦ୍ୟାଳୟର ଖେଳପଡ଼ିଆକୁ କିଛି ସମୟରେ ଗାଁ ଲୋକେ ଜବରଦଖଲ କରି ରଖୁଛନ୍ତି। ଫଳରେ ପିଲାମାନେ ଖେଳକୁଦ କରିପାରୁ ନାହାନ୍ତି। ଖେଳ ପଡ଼ିଆ ନଥିବାରୁ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେଉଛି।ଅଭିଭାବକମାନେ ତୁରନ୍ତ ବାଉଣ୍ଡାରୀ ୱାଲ , ନୂତନ ଶ୍ରେଣୀକକ୍ଷ ନିର୍ମାଣ ସହିତ ଖେଳପଡ଼ିଆ ଜବରଦଖଲ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଦାବି କରନ୍ତି l