ତିନି ମହାନଗରୀରେ ଅପମିଶ୍ରିତ ଖାଦ୍ୟ ବିକ୍ରୀ ଉପରେ ବ୍ୟାପକ ଚଢ଼ାଉ

ଭୁବନେଶ୍ୱର, ୨୧/୮ : (ପ୍ରଦୀପ୍ତ କୁମାର ଦାସ) – ଆସନ୍ନ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗତ କିଛି ଦିନ ହେଲା ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଆଇ)ଏବଂ ସ୍ଥାନୀୟ ପୌରପାଳିକା (ଯଥା ସିଏମସି,ବିଏମସି ଓ ବ୍ରହ୍ମପୁର ମୁନିସିପାଲ କର୍ପୋରେସନ) ପକ୍ଷରୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିଶେଷ କରି ଛେନା, ପନିର,ଖୁଆ ଓ ମିଠା ଦୋକାନ ଗୁଡ଼ିକ ଉପରେ ବ୍ୟାପକ ଚଢ଼ାଉ ଓ ଯାଞ୍ଚ କରାଯାଇଛି।ଏହି କ୍ରମରେ କଟକ ମୁନିସିପାଲ କର୍ପୋରେସନ ଏବଂ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗର ମିଳିତ ଟିମ୍‌ ଦ୍ୱାରା ପ୍ରାୟ ୭୧ କ୍ୱିଣ୍ଟାଲରୁ ଅଧିକ ପରିମାଣରେ ସନ୍ଦେହଯୁକ୍ତ ଓ ଅପମିଶ୍ରିତ ପନିର ଛେନା ଓ ଛେନାରୁ ପ୍ରସ୍ତୁତ କେତେକ ଖାଦ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି।

ଭୁବନେଶ୍ୱରର ୟୁନିଟ୍-୪,କଳିଙ୍ଗ ଷ୍ଟାଡିଅମ,ରସୁଲଗଡ଼,ପାତ୍ ପଡ଼ା,ଖଣ୍ଡଗିରି,ସିଆରପିଏଫ ଛକ,ଚନ୍ଦ୍ରଶେଖରପୁର ଓ କଳିଙ୍ଗନଗର ଆଦି ଅଞ୍ଚଳରୁ ପ୍ରାୟ ୧୦୦ କିଗ୍ରା ଖୋଲା ପନିର ଏବଂ ୬୬ କିଗ୍ରା ବାସି/ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରାଥମିକ ପରୀକ୍ଷା ପରେ ଜବତ କରାଯାଇ ନଷ୍ଟ କରାଯାଇଛି।ସନ୍ଦିଗ୍ଧ ବ୍ୟବସାୟିକ ସଂସ୍ଥା,ହୋଟେଲ ଓ ସପିଂ ମଲ୍‌ ଗୁଡ଼ିକରୁ ଏକାଧିକ ଖାଦ୍ୟ ନମୁନା ମଧ୍ୟ ସଂଗ୍ରହ କରାଯାଇ ରାଜ୍ୟ ଆଞ୍ଚଳିକ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଛି।ସେହିପରି ବ୍ରହ୍ମପୁର ସହରରେ ଥିବା କେତେକ ମିଠା ଓ ଲସି ଦୋକାନ ଉପରେ ଚଢ଼ାଉ ସହ ଯାଞ୍ଚ କରାଯାଇଛି।ସେଠାରୁ ସମ୍ପୃକ୍ତ ଖାଦ୍ୟ ସୁରକ୍ଷା ଟିମ ପ୍ରାୟ ୩୦୦ କେ ଜି ଅପମିଶ୍ରିତ ଖୁଆ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଜବତ କାରି ସେଗୁଡିକୁ ନଷ୍ଟ କରିଥିବା ଜଣାପଡ଼ିଛି।

ଏଥି ସହିତ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଖିଲାପି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।ତେବେ ଏପରି ଅପମିଶ୍ରଣର ଶୈଳୀ ଓ ପ୍ରାଥମିକ ତଦନ୍ତରୁ ଏଥିରେ ମଇଦା ଓ କେମିକାଲର ବ୍ୟବହାର ହେଉଥିବା ସନ୍ଦେହ ଉପୁଜିଛି।ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ,ଛେନା, ପନିରଓ ଖୁଆ ଇତ୍ୟାଦିର ପରିମାଣ ତଥା ଓଜନ ବୃଦ୍ଧି କରିବା ପାଇଁ ଅସାଧୁ ବ୍ୟବସାୟୀ ମାନେ ସେଥିରେ ମଇଦା,ଷ୍ଟାର୍ଚ ଏବଂ “ପାରସ ପାଉଡର ନାମକ ରସାୟନ ପଦାର୍ଥ ସହ ଅସ୍ୱାସ୍ଥ୍ୟକର ଚର୍ବି ମିଶାଉଥିବାର ସନ୍ଦେହ ଦୃଢ଼ୀଭୂତ ହୋଇଛି।ବିଶେଷ ଭାବେ ନିଆଳି,ନିମାପଡ଼ା,କଣ୍ଟା ପଡ଼ା ଆଦି ଗ୍ରାମାଞ୍ଚଳରୁ ବିଭିନ୍ନ ଗାଡ଼ି ଓ ଅଟୋ ଯୋଗେ କଟକ ଓ ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନ,ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନକୁ ଏହି ସବୁ ନକଲି ପନିର ନିୟମିତ ଯୋଗାଇଦିଆଯାଉଥିଲା ବୋଲି କୁହାଯାଇଛି।

କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ୨୦୦୬ ର ନିୟମାବଳୀ ଉଲ୍ଲଂଘନ କରିଥିବାଅଭିଯୋଗରେ ୬ରୁ ଅଧିକ ସ୍ଥାନୀୟ ବ୍ୟବସାୟିକ ସଂସ୍ଥା ଓ ବ୍ରହ୍ମପୁରର ଅଭିଯୁକ୍ତ ଏକାଧିକ ମିଠା ଓ ଲସି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ସହ ବନ୍ଦ ନୋଟିସ ମଧ୍ୟ ଜାରି କରାଯାଇଛି।ଏହି ମର୍ମରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟବସାୟୀଙ୍କଠାରୁ ସାହସ୍ରାଧିକ ଟଙ୍କାର ଜରିମାନା ମଧ୍ୟ ଆଦାୟ କରିବା ସହ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ପରୀକ୍ଷାଗାରରୁ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ନକଲି ଖାଦ୍ୟ ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଉପଯୁକ୍ତ ଦଣ୍ଡ ବିଧାନ କରାଯିବ ବୋଲି କୁହାଯାଇଛି।

ତେବେ ପ୍ରଶାସନିକ ସୂଚନା ମୁତାବକ ଜନ ସଚେତନତା ପାଇଁ ପରାମର୍ଶ ଦିଆଯିବା ସାଙ୍ଗକୁ ଅପମିଶ୍ରିତ ଓ ଭେଜାଲ ଖାଦ୍ୟ ବିକ୍ରୀ ବିରୋଧରେ ନିରନ୍ତର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ ବୋଲି ସ୍ଥାନୀୟ ପୌର ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଜଣାଇଦିଆଯାଇଛି। ଆଗାମୀ ରାକ୍ଷି ପୁର୍ଣିମା, ଜନ୍ମାଷ୍ଟମୀ,ଗଣେଶପୂଜା, ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଶେଷ ହେବା ପର୍ଯ୍ୟନ୍ତ ଏହି ଯାଞ୍ଚ ପ୍ରକ୍ରିୟା ବ୍ୟାପକ ଭାବେ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ତେବେ ଅସ୍ୱାସ୍ଥ୍ୟକର ଓ ଦୂଷିତ ଖାଦ୍ୟ ପଦାର୍ଥ ଠାରୁ ଯଥେଷ୍ଟ ଦୂରେଇରହିବାକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।ଏକ୍ଷେତ୍ରରେ ସାବଧାନତା ଅବଲମ୍ବନ ପୂର୍ବକ ଅଧିକ ଧଳା ଓ ଶସ୍ତାରେ ମିଳୁଥିବା ପନିର/ଛେନା କିଣିବା ସମୟରେ ଜନସାଧାରଣଙ୍କୁ ସଚେତନ ରହିବାକୁ ଏବଂ ଯେ କୌଣସି ଖାଦ୍ୟରେ ଅପମିଶ୍ରଣ ସନ୍ଦେହ ହେଲେ ସ୍ଥାନୀୟ ପୌର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।